ବାଉଁଶ ମଞ୍ଚାରେ ଫସଲକୁ ଜଗିଥିବା ବେଳେ ବାର୍‌ହା ଆକ୍ରମଣ, ବୃଦ୍ଧା ମୃତ

ମହାକାଳପଡ଼ା,୫।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକର ଗହୀରମଥା ଶାଶିନିପେଟା ରେଞ୍ଜ ଅଧୀନ ସ୍ଥାନୀୟ ନରସିଂହପୁର ଗ୍ରାମ ନିକଟ ଚାଷଜମିରେ ବାର୍‌ହା ଦଳ ଆକ୍ରମଣରେ ବୁଧବାର ବିଳମ୍ବିତ ରାତିରେ ଜନୈକ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବ୍ଲକ ଅନ୍ତର୍ଗତ ନାଞ୍ଜୁରା ପଞ୍ଚାୟତର ନରସିଂପୁର ଗ୍ରାମର ପୂର୍ବତନ ଓ୍ବାର୍ଡ ସଭ୍ୟ ଭାରତୀ ଜାନା(୬୨)।

ଫସଲକୁ ରକ୍ଷା କରିବାକୁ କରାଯାଇଥିବା ବାଉଁଶ ମଞ୍ଚାରେ ସେ ସ୍ବାମୀ ଝଣ୍ଡୁଙ୍କ ସହ ଯାଇଥିଲେ। ତେବେ ରାତିରେ ବାର୍‌ହାଙ୍କ ଆକ୍ରଣରେ ସେ ଗୁରୁତର ହୋଇଥିଲେ। ଖବର ପାଇ ପରିବାର ଓ ସ୍ଥାନୀୟ ସରପଞ୍ଚ, ରେଞ୍ଜର ପହଞ୍ଚି ତାଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତାଙ୍କ ପୁଅ ତନ୍ତିଆପାଳ ମେରାଇନ ଥାନା ଓ ରେଞ୍ଜରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲା ରେଡକ୍ରସ ପାଣ୍ଠିରୁ କ୍ଷତିଗ୍ରସ୍ତ ପରିବାରକୁ ୨୦ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିବା ସୂଚନା ମିଳିଛି।