ବାଇପାସ୍‌ ଛକରେ ସ୍ଥାପନ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଓ ଉଦ୍ୟାନ

ଭଦ୍ରକ ଅଫିସ, ୧୦ା୬- ଭଦ୍ରକ ମାଟିର ମହକ ତଥା ଓଡ଼ିଶାର ଗର୍ବ ଓ ଗୌରବ, ରାଜ୍ୟ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଙ୍ଗଳବାର ସ୍ଥାନ ପରିଦର୍ଶନ କରିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ। ଆଗାମୀ ୧୦ ଦିନରେ କାମ ଆରମ୍ଭ ହୋଇ ଯଥାଶୀଘ୍ର ନୂତନ ପ୍ରତିମୂର୍ତ୍ତି ସ୍ଥାପନ ସହ ପାର୍କ ଓ ଏଲିଡି ଲାଇଟରେ ବ୍ୟବସ୍ଥା କରାଯିବା ସହ ସାତ ଦିନ ମଧ୍ୟରେ ୩ ଡି ହୋର୍ଡିଂ ଲାଗିବ ବୋଲି କହିଛନ୍ତି ବିଧାୟକ। କଟକର ଏକ ଆର୍କିଟେକ ସଂସ୍ଥାର ଯନ୍ତ୍ରୀଙ୍କ ଉପସ୍ଥିତିରେ ଭଦ୍ରକ ସହରର ବାଇପାସ ଛକରେ ସ୍ଥାନ ପରିଦର୍ଶନ କରିବା ସହ କାନ୍ତକବିଙ୍କ ପ୍ରତମୂର୍ତ୍ତି ସ୍ଥାପନ ନେଇ ଆଲୋଚନା କରିଥିଲେ ବିଧାୟକ। ଏହି ସମୟରେ ଭଦ୍ରକ ତହସିଲଦାର, ପୌରପାଳିକା ନିର୍ବାହୀଯନ୍ତ୍ରୀ, ପ୍ରତିମୂର୍ତ୍ତି ସ୍ଥାପନା ଦାବି ଉଠାଇଥିବା କାନ୍ତକବି ମଞ୍ଚ ଆବାହକ ଲକ୍ଷ୍ମୀଧର ବିଶ୍ୱାଳ, ସଂଯୋଜକ ସୁଦାମ ଭୂଇଁ, ପ୍ରକାଶ ସ୍ବାଇଁ ଓ କାନ୍ତକବିଙ୍କ ନାତି ଉମାକଲ୍ୟାଣ ମହାପାତ୍ର ଓ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ନିରୂପଣ ସ୍ଥାନର ୩ଡି ମ୍ୟାପ ପ୍ରସ୍ତୁତ କରାଯାଇ ଖୁବଶୀଘ୍ର କାନ୍ତକବିଙ୍କୁ ଯଥୋଚିତ ସମ୍ମାନ ଦେବାର ବ୍ୟବସ୍ଥା ହେବ । ଅନ୍ୟପକ୍ଷେ ବିଧାୟକ ଓ ଜିଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ମୂର୍ତ୍ତି କାର୍ଯ୍ୟ ଖୁବ୍‌ଶୀଘ୍ର ସାରିବାକୁ କାନ୍ତକବି ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରାସ୍ତା ସମ୍ପ୍ରସାରଣ ନାମରେ ଦୀର୍ଘ ଦୁଇ ବର୍ଷ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ହଟାଯାଇ ପୁନଃ ପ୍ରତିଷ୍ଠା କରାଯାଇ ନ ଥିଲା। ଯାହାଫଳରେ ବିଭିନ୍ନ ସମୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଉଥିଲା। ଅପରାହ୍ନରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବାଇପାସ ଛକରେ କାନ୍ତକବିଙ୍କ ମୂର୍ତ୍ତି ସ୍ଥଳକୁ ବୁଲି ଦେଖିବା ଅବସରରେ କାନ୍ତକବି ମଞ୍ଚ ପକ୍ଷରୁ ଦାବି ପ୍ରଦାନ ସହ ଅନ୍ୟ ଦାବିକୁ ଦୋହରାଯାଇଥିଲା ।