ବାଇକ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର; କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବୌଦ୍ଧ,୧୪।୧୨(ସ୍ବ.ପ୍ର.): ବୌଦ୍ଧ ସହରର ବ୍ରିଜ୍‌ ଛକ ନିକଟରେ ଶନିବାର ସକାଳେ ବାଇକ୍‌ ସହ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଟୁଟୁସିଙ୍ଗା ଗ୍ରାମର ମହେଶ ପ୍ରଧାନ(୧୮)। ସେହିଭଳି ବିମଲ ପ୍ରଧାନ(୧୭) ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।

ସୂଚନାନୁଯାୟୀ, ମହେଶ ଏବଂ ବିମଲ ମହାନଦୀରେ ଗାଧୋଇ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ବ୍ରିଜ୍‌ ନିକଟରେ ତାଙ୍କ ବାଇକ୍‌ ସହ ଏକ ଟ୍ରକ୍‌ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହେଶଙ୍କୁ ମୃତ ଘୋଷଣା କରିଥିଲେ। ପରେ କ୍ଷତିପୂରଣ ଦାବିରେ ପରିବାରଲୋକେ ମହେଶଙ୍କ ମୃତଦେହକୁ ନେଇ ଦୁର୍ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ପିଡି ସୂର୍ଯ୍ୟ ନାରାୟଣ ଦାସ, ଏସ୍‌ଡିପିଓ ସାଲେଷ୍ଟିନ୍‌ ଟିଗା, ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପ୍ରମୁଖ ପହଞ୍ଚି ବୁଝାଶୁଝା କରିଥିଲେ। ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର, ରେଡକ୍ରସ୍‌ ପାଣ୍ଠିରୁ ୧୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ଲୋକମାନେ ହଟିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଓ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।