ବହୁଚର୍ଚ୍ଚିତ ମା’ଝିଅ ଡବଲ ମର୍ଡର ଘଟଣା: ଅନୁପଙ୍କ ଡ୍ରାଇଭର ଗିରଫ

ଝାରସୁଗୁଡ଼ା ଅଫିସ,୧୫।୨: ବହୁଚର୍ଚ୍ଚିତ ମା’ଝିଅ ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜପୁର ବଗରାଚକ ଗାଁ ଭଡାଘରେ ପୋଲିସ ଚଢ଼ାଉ କରି ବର୍ଦ୍ଧନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବ୍ରଜରାଜନଗର ନର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଥିଲେ। ଗୁରୁବାର ତମାମ ପଚରାଉଚରା ପରେ କିଭଳି ଭାବେ ସେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟା କରିଥିଲେ ତାହା କହିଥିଲେ। ଶୁକ୍ରବାର ଛତିଶଗଡ଼ ଜିଲା ରାୟଗଡ ଏସ୍‌ ସନ୍ତୋଷ ସିଂ ଏକ ଖବରଦାତା ସମ୍ମିଳନୀରେ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। କଳ୍ପନା ସ୍ବାମୀ ପରିତ୍ୟକ୍ତା ଥିଲେ। ତାଙ୍କର ଗୋଟିଏ ଶିଶୁକନ୍ୟା ମଧ୍ୟ ଥିଲା। ତେବେ ୨୦୧୧ ମସିହାରୁ ସେ ଅନୁପଙ୍କ ସଂସ୍ପର୍ଶରେ ଆସିଥିଲେ। ଇତିମଧ୍ୟରେ କଳ୍ପନାଙ୍କୁ ଅନୁପ ଭୁବନେଶ୍ୱର ନେଇ ଏକ ଫ୍ଲାଟ୍‌ରେ ରଖିଥିଲେ। ସେଠାରେ ଉଭୟେ ସ୍ତ୍ରୀ ସ୍ବାମୀ ଭାବେ ରହି ଆସୁଥିଲେ। ହେଲେ କଳ୍ପନା ସ୍ତ୍ରୀର ମର୍ଯ୍ୟାଦା ପାଇପାରୁ ନ ଥିଲେ। ସେଥିପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ବୈଦିକ ରୀତିରେ ବିବାହ କରିବା ଓ ସମ୍ପତ୍ତିରୁ ଭାଗ ଦେବା ପାଇଁ ମଧ୍ୟ କଳ୍ପନା ଦାବି କରିଆସୁଥିଲେ, ଯାହା ପାଇଁ ଅନୁପ ଏହି ହତ୍ୟାକାଣ୍ଡ ରଚାଇ ଥିଲେ।