Categories: ମେଟ୍ରୋ

ବସ୍‌ ଷ୍ଟାଣ୍ଡରେ ସ୍ଥାପନ ହେବ କ୍ୟାମ୍ପ ଅଫିସ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା(କୋଭିଡ-୧୯)ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ବସ୍‌ରେ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ଗୋଟିଏ ବସରେ ସିଟ୍‌ ଠାରୁ ଅଧିକ ଯାତ୍ରୀ ଯିବା ଆସିବା କରୁଛନ୍ତି। କରୋନା ଭୂତାଣୁର ଭୟାବହତାକୁ ଦେଖି ରାଜ୍ୟ ସରକାର ବସ୍‌ଗୁଡିକରେ ନିର୍ଦ୍ଦିଷ୍ଟ ସିଟ୍‌ ଠାରୁ ଅଧିକ ଯାତ୍ରୀ ନେବା ଉପରେ କଟକଣା ଜାରି କରିଛନ୍ତି। ବସ୍‌ରେ ପରିମଳ ବ୍ୟବସ୍ଥାକୁ କିପରି ଅଧିକ ସ୍ବଚ୍ଛ କରାଯାଇ ପାରିବ ସେ ନେଇ ଲୋକସେବା ଭବନଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବସ୍‌ ମାଲିକ ସଂଘ, ରାଜ୍ୟ ପରିବହନ କମିଶନର, ଓଡିଶା ରାଜ୍ୟ ପରିବହନ ନିଗମ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଜରୁରୀ ବୈଠକ କରାଯାଇଥିଲା। ବୈଠକରେ ବସ ଓ ବସଷ୍ଟାଣ୍ଡଗୁଡିକର ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୩୦ଟି ଜିଲାରେ ଥିବା ସମସ୍ତ ବସଷ୍ଟାଣ୍ଡରେ କ୍ୟାମ୍ପ ଅଫିସ ଖୋଲାଯିବ। ସେହି ଅଫିସରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ ସଂଘର କର୍ମକର୍ତ୍ତା ଉପସ୍ଥିତ ରହି ଯାତ୍ରୀମାନଙ୍କୁ ସ୍ବଚ୍ଛତା ନେଇ ସଚେତନ କରିବା ସହ ବସଷ୍ଟାଣ୍ଡରେ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବେ। ସେହିପରି ଯାତ୍ରୀମାନେ ବସ୍‌ ଭିତରକୁ ଯିବାବେଳେ ହ୍ୟାଣ୍ଡ ସାନିଟାଇଜର ମାଧ୍ୟମରେ ହାତକୁ ସଫା କରିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ବଜାରରେ ଯଥେଷ୍ଟ ପରିମାଣରେ ମାସ୍କ ଓ ସାନିଟାଇଜର ମିଳୁ ନାହିଁ। ସରକାରଙ୍କ ତରଫରୁ ସେ ସବୁ କ୍ୟାମ୍ପ ଅଫିସକୁ ଯୋଗାଇ ଦିଆଗଲେ ବସ୍‌ ମାଲିକମାନେ ତାକୁ କ୍ରୟ କରି ବସ୍‌ରେ ରଖି ଯାତ୍ରୀମାନଙ୍କ ବ୍ୟବହାର ପାଇଁ ଉପଯୋଗ କରିବେ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି। ବ୍ଲିଚିଂ ପାଉଡରକୁ ପାଣିରେ ଗୋଳାଇ ବସ୍‌ ସିଟ୍‌, ରେଲିଂ, ଡୋର ଆଦିକୁ ଦିନକୁ ଦୁଇଥର ସଫା କରାଯିବ। ରାଜ୍ୟର ସମସ୍ତ ବସ୍‌ ମାଲିକ ସଂଘ ଏହି ପରାମର୍ଶ ଅନୁଯାୟୀ କାର୍ଯ୍ୟ କରିବାକୁ ସେ କହିଛନ୍ତି। ରାଜ୍ୟରେ ଓଏସ୍‌ଆର୍‌ଟିସି ଅଧୀନରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବସ ଚାଲୁଥିବା ବେଳେ ୧୦ହଜାରରୁ ଊର୍ଦ୍ଧ୍ୱ ଘରୋଇ ବସ ଚଳାଚଳ କରୁଛି। ଦୈନିକ ଲକ୍ଷ ଲକ୍ଷ ଲୋକ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି। ତେଣୁୁ ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।