ବସ୍‌ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ

ପାଲଲହଡା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ଥାନା ବତିସୁଆଁ ପଞ୍ଚାୟତ ଭୀମକାଣ୍ଡ ଛକ ନିକଟରେ ରବିବାର ଏକ ବସ୍‌ ସ୍କୁଟିକୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଡିମିରିଆ ଗ୍ରାମର ପ୍ରେମାନନ୍ଦ ବିଶ୍ୱାଳ(୩୦) ଏବଂ ଚଷାଗୁରୁଜାଙ୍ଗ ଗ୍ରାମର ସୁରେଶଚନ୍ଦ୍ର ସାହୁ(୭୦)। ଦୁହେଁ ପାଲଲହଡ଼ାଠାରେ ଥିବା ଏକ ୱେଲ୍‌ଡିଂ ଦୋକାନର କର୍ମଚାରୀ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।
ପୋଲିସ କହିଛି, ପ୍ରେମାନନ୍ଦ ଓ ସୁରେଶ କୌଣସି ଏକ କାମରେ ସ୍କୁଟି (ନଂ.ଓଡି୩୫ଏ-୪୩୯୫) ଯୋଗେ ତାଳଚେର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ବିଜୟ ନାମକ ଏକ ଯାତ୍ରୀବାହୀ ବସ୍‌ ଉଭୟଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ପ୍ରେମାନନ୍ଦ ଓ ସୁରେଶଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ପାଲଲହଡା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଦୁର୍ଘଟଣା ଘଟାଇଥିବା ବସ୍‌ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ବସ୍‌ଟିକୁ ଜବତ କରିଛି। ଏ ସଂକ୍ରାନ୍ତରେ ନଂ.୧୮୮/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ କନକ ମାଝି ସୂଚନା ଦେଇଛନ୍ତି।