ବସ୍‌ ଧକ୍କାରେ ଛାତ୍ରଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୨।୯(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମଥୁରା ଛକ ୨୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ମଥୁରା ଗ୍ରାମର ଧର୍ମାନନ୍ଦ ବଗର୍ତ୍ତୀ ଓରଫ ମିଲୁ (୧୩)। ଖବର ପାଇ ଉତ୍ତ୍ୟକ୍ତ ମଥୁରା ଗ୍ରାମବାସୀ ଓ ସମ୍ପର୍କୀୟ ଲୋକେ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଯାଏ କ୍ଷତିପୂରଣ ଦାବିରେ ମୃତଦେହ ରଖି ୨୬ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ, ଏସ୍‌ଆଇ କୃଷ୍ଣଚନ୍ଦ୍ର ସ୍ବାଇଁ, ସାବିତ୍ରୀ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସେଠାରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ବସ୍‌ ମାଲିକଙ୍କ ପକ୍ଷରୁ ମୃତକଙ୍କ ପରିବାରଙ୍କୁ ପୋଲିସ ଉପସ୍ଥିତିରେ ଦେଢଲକ୍ଷ ଟଙ୍କା ଦିଆଯିବା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା। ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଯୋଗୁ ଯାନବାହନ ଚଳାଚଳ ବ୍ୟାଘାତ ହୋଇଥିଲା। ଫଳରେ ଯାତ୍ରୀମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ଜୁନାଗଡ ବ୍ଲକ ମଥୁରା ଗ୍ରାମର ଧର୍ମାନନ୍ଦ ଘରେ ପୂଜା କରିବା ପାଇଁ ରବିବାର ସକାଳେ ଛକ ନିକଟସ୍ଥ ରାସ୍ତାକଡର ଏକ ଘରକୁ ଫୁଲ ତୋଳିବାକୁ ଯାଇଥିଲେ। ସେଠାରୁ ସାଇକେଲରେ ଘରକୁ ଫେରୁଥିବା ବେଳେ ପଛପଟୁ ଏକ ଗାୟତ୍ରୀ ନାମକ ଏକ ଘରୋଇ ବସ୍‌ (ନଂ.ଓଡି୦୩ଏଚ୍‌-୮୨୨୪) ତାଙ୍କୁ ଧକ୍କା ଦେଇଥିଲା। ଧର୍ମାନନ୍ଦ ରାସ୍ତାରେ ଛିଟିକି ପଡି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଏକମାତ୍ର ପୁଅକୁ ହରାଇ ମା’, ବାପା ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି। ଧର୍ମାନନ୍ଦ ସ୍ଥାନୀୟ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ଦୁର୍ଘଟଣା ଘଟାଇଥିବା ବସ୍‌କୁ ସ୍ଥାନୀୟ ପୋଲିସ ଥାନାରେ ଅଟକ ରଖିଛି।