ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା ଟିକିରି ରୁ ୪୮ ଜଣ ଯାତ୍ରୀଙ୍କୁ ନେଇ ପୁରୁଷୋତ୍ତମପୁର ଆସୁଥିବା ମାରୁତି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାହାଫଳରେ ବସଟି ଘାଟିରୁ ୫୦ ଫୁଟ ତଳକୁ ଖସିଯାଇଛି। ଖବର ପାଇ ଗଞ୍ଜମ ଏସପି ବ୍ରିଜେଶ ରାୟ ଓ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରୁଛନ୍ତି। ଘନ କୁହୁଡି ଯୋଗୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତ୍ର ଟିକିରିରୁ ଏକ ଯାତ୍ରୀବାହୀ ବାସ ତପ୍ତପାଣି ଦେଇ ବ୍ରହ୍ମପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୪ ଜଣ ଲୋକ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ସୁପେରିଟେଣ୍ଡେଣ୍ଟ ସନ୍ତୋଷ କୁମାର ମିଶ୍ର ଖବରଦାତାଙ୍କୁ ସୂଚନା ଦେଇଛନ୍ତି ।