ବସ୍‌ରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧।୫- ବାଲେଶ୍ବରରୁ ବଲାଙ୍ଗୀର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡିଗାଁର ରବୀନ୍ଦ୍ର କୁମାର ସାମନ୍ତ (୫୫) ବୋଲି ଚିହ୍ନଟ କରାଯାଇଛି। ଯାତ୍ରୀବାହୀ ବସ୍‌ଟି ସକାଳ ୭ଟାରେ ବଲାଙ୍ଗୀର ପହଞ୍ଚିବା ପରେ ସମସ୍ତ ଯାତ୍ରୀ ତଳକୁ ଓହ୍ଲାଇଥିଲେ। ମାତ୍ର ରବୀନ୍ଦ୍ର ଓହ୍ଲାଇ ନ ଥିଲେ। ବସ୍‌ ସିଟ୍‌ରେ ଶୋଇବା ଅବସ୍ଥାରେ ଥିଲେ। ବସ୍‌ କର୍ମଚାରୀ ତାଙ୍କୁ ଉଠାଇବା ପରେ ମଧ୍ୟ ନ ଉଠିବାରୁ ବଲାଙ୍ଗୀର ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଆମ୍ବୁଲାନ୍ସରେ ରବୀନ୍ଦ୍ରଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରବୀନ୍ଦ୍ରଙ୍କ ମୃତଦେହକୁ ହସ୍ପିଟାଲର ଶବାଗାରକୁ ନିଆଯାଇଥିଲା। ବସ୍‌ କର୍ମଚାରୀଙ୍କ ସୂଚନା ମୁତାବକ ରବୀନ୍ଦ୍ର ଗୁରୁବାର ସା ପ୍ରାୟ ୮ଟାରେ ବାଲେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଆସିବା ପାଇଁ ବସ୍‌ରେ ଚଢିଥିଲେ। ସେ ଜଣେ ଟାଇଲ୍ସ ଠିକାଦାର ବୋଲି ଜଣାପଡିଛି ।