ବସ୍ତିରୁ ବ୍ୟାପିଥିଲା ମୁମ୍ବାଇ ପୋଲିସକୁ ସଂକ୍ରମଣ

ଭୁବନେଶ୍ୱର,୧୨ା୫ (ବ୍ୟୁରୋ): ଲକ୍‌ଡାଉନ୍‌ କଟକଣାକୁ ପାଳନ କରିବା ସହ କରୋନା ସଂକ୍ରମଣ ରୋକିବାରେ ପୋଲିସ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ହେଲେ ଏବେ ଦିନରାତି ଜଗିରହୁଥିବା ପୋଲିସ ନିଜେ ସଂକ୍ରମଣର ଶିକାର ହୋବାରେ ଲାଗିଛି। ମୁମ୍ବାଇରେ ୩ଶହରୁ ଊର୍ଦ୍ଧ୍ୱ ପୋଲିସ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଓଡ଼ିଶା ପୋଲିସକୁ ମଧ୍ୟ ଚିନ୍ତା ଘାରିଛି। ଏନେଇ କଟକ-ଭୁବନେଶ୍ୱର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ନଓ୍ବାଲ ବଜାଜଙ୍କ ସହ ଆଲୋଚନା କରି କେତେକ ପରାମର୍ଶ ନେଇଛନ୍ତି।
ସୋମବାର କମିଶନରେଟ ପୋଲିସ ମୁଖ୍ୟାଳୟରେ କମିଶନର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବୈଠକ ହୋଇଥିଲା। ମୁମ୍ବାଇ ପୋଲିସ ଯୁଗ୍ମ କମିଶନର ବଜାଜ କହିଥିଲେ, ମୁମ୍ବାଇର ବିଭିନ୍ନ ବସ୍ତି ଅଞ୍ଚଳରେ ରହୁଥିବା ପୋଲିସଙ୍କ ଦ୍ୱାରା ଏହା ଥାନାକୁ ବ୍ୟାପିଛି। ବସ୍ତିରେ ରହୁଥିବା ପୋଲିସ ସଂକ୍ରମିତ ହୋଇ କାର୍ଯ୍ୟସ୍ଥଳରେ ଅନ୍ୟମାନଙ୍କୁ ସଂକ୍ରମିତ କରିଛନ୍ତି। ଏଥିସହ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ପୋଲିସ କାର୍ଯ୍ୟ କରୁଥିବାବେଳେ ଓ ଯାଞ୍ଚବେଳେ ସଂକ୍ରମିତ ହୋଇଥିଲେ। ତେବେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବଜାଜ କହିଛନ୍ତି, ବୟସ ଅନୁସାରେ ପୋଲିସ କର୍ମଚାରୀଙ୍କୁ ୩ କାଟାଗୋରୀ (କ, ଖ, ଗ)ରେ ବିଭକ୍ତ କରାଯାଇଛି। ‘କ’ରେ ୫୫ରୁ ଅଧିକ ବୟସ୍କ ପୋଲିସ ଅଛନ୍ତି। ସେମାନଙ୍କୁ କିଛି କାର୍ଯ୍ୟ କରିବାକୁ ଦିଆଯାଉନାହିଁ। ‘ଖ’ରେ ୫୦ରୁ ୫୫ବର୍ଷର ପୋଲିସ ରହିନ୍ତି। ‘ଗ’ କାଟେଗୋରିରେ ୪୫ ବର୍ଷରୁ ୫୦ବର୍ଷର ପୋଲିସ କର୍ମଚାରୀ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା ଦେଖି ଏମାନଙ୍କୁ କାର୍ଯ୍ୟ ଦିଆଯାଉଛି। ସେହିଭଳି ଅଭିଯୁକ୍ତଙ୍କୁ ଗିରଫ ସମୟରେ କେତେକ ଗାଇଡ଼୍‌ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗୁଛନ୍ତି ଡାକ୍ତରୀ ଟିମ୍‌ ସହ ପୋଲିସ ଯାଉଛି। ପୋଲିସ ଦୂରରେ ରହୁଛି, ସୁରକ୍ଷା ପୋଷାକ ପିନ୍ଧି ଡାକ୍ତରୀ ଟିମ୍‌ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ଆମ୍ବୁଲାନ୍ସରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ନେଉଛି। ଡ୍ୟୁଟି ସମୟରେ ଲୋକଙ୍କ ପାଖକୁ ଯିବାକୁ ପୋଲିସକୁ ବାରଣ କରାଯିବା ସହ ମାସ୍କ ପିନ୍ଧିବା ଓ ପକେଟରେ ସାନିଟାଇଜର ରଖି ହାତକୁ ବାରମ୍ବାର ସାନିଟାଇଜ୍‌ କରିବାକୁ କୁହାଯାଉଛି। ମୁହଁରେ ଭାଇଜର ପିନ୍ଧିବା ସହ ନିୟମିତ ସ୍କ୍ରିନିଂ କରାଯାଉଛି ବୋଲି ବଜାଜ ସୂଚନା ଦେବା ସହ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଆଧାରରେ କମିଶନରେଟ ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିପାରେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରେ ଭୁବନେଶ୍ୱର ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ,କଟକ ଡିସିପି ଅଖିଳେଶ୍ୱର ସିଂ, ଡିସିପି (ସିକ୍ୟୁରିଟି) ନିର୍ମଳ ଶତପଥୀ ଓ ଡାକ୍ତର ଟିମ୍‌ ଉପସ୍ଥିତ ରହିଥିଲେ।