ବଳାତ୍କାର ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା

ବାରିପଦା ଅଫିସ/ ରାଇରଙ୍ଗପୁର,୪ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ପୋଲିସର ଅବହେଳା କାରଣରୁ ବଳାତ୍କାର ପୀଡ଼ିତା ଜଣେ ଅଧ୍ୟାପିକା ନ୍ୟାୟ ନ ପାଇ ଜୀବନ ହାରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ଗୁରୁତର ଭାବେ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ.ମିନତୀ ବେହେରା ମଙ୍ଗଳବାର ଦିନିକିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଥିଲେ। ସେ ବାରିପଦାରେ ପହଞ୍ଚି ପ୍ରଥମେ ଜିଲା ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କ ସହିତ ଆଲୋଚନା କରିଥିଲେ। ପରେ ପୀଡିତାଙ୍କ ଗ୍ରାମକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହିତ ସମବେଦନା ଜଣାଇଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ପୀଡିତା ଆତ୍ମହତ୍ୟା କରିଥିବା ରାଇରଙ୍ଗପୁର କଲେଜର ହଷ୍ଟେଲ ପରିଦର୍ଶନ କରିବା ସହିତ ସେଠାକାର କର୍ମଚାରୀ ଓ କଲେଜର ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି। ସମସ୍ତ ଘଟଣାର ସମୀକ୍ଷା ପରେ ରାଜ୍ୟ ସରକାରଙ୍କୁ ସେ ଏକ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି। ତାଙ୍କ ସହିତ ଆଡିଶନାଲ ଏସ୍‌ପି ବିଜୟା ବାରୱା ଓ ନିର୍ବାହୀ ଅଧିକାରୀ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଝାରପୋଖରିଆ ଥାନା ଅଞ୍ଚଳର ଜଣେ ଅଧ୍ୟାପିକା ରାଇରଙ୍ଗପୁର କଲେଜରେ ଅଧ୍ୟାପନା କରୁଥିଲେ। ସେ ଗତ ଅକ୍ଟୋବର ୨୬ ତାରିଖରେ କେନ୍ଦୁଝରସ୍ଥିତ ତାଙ୍କର ଜଣେ ସମ୍ପର୍କୀୟା ଭାଉଜଙ୍କ ଘରକୁ ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ସମ୍ପର୍କୀୟା ଭାଉଜଙ୍କ ଭାଇ ଶ୍ୟାମରଞ୍ଜନ ସାହୁ ତାଙ୍କୁ ବଳାତ୍କାର କରିଥିଲେ। ଅଧ୍ୟାପିକା ଜଣକ ଘରକୁ ଫେରି ସବୁ କଥା ଜଣାଇବା ସହିତ ସେହି ମାସ ୩୦ ତାରିଖରେ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୨୫/୧୯) ରୁଜୁ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିଲା। ମାମଲା ପ୍ରତ୍ୟାହାର କରିନେବାକୁ ଅଭିଯୁକ୍ତ ସାହୁ ବିଭିନ୍ନ ସମୟରେ ଅଧ୍ୟାପିକାଙ୍କୁ ଧମକ ଚମକ ଦେଇ ଆସୁଥିଲେ। ଫଳରେ ଅଧ୍ୟାପିକା ମାନସିକ ଚାପରେ ରହୁଥିଲେ। ଗତ ଶନିବାର ରାତି ପ୍ରାୟ ୮ ଟା ବେଳେ ସେ ଅଧ୍ୟାପନା କରୁଥିବା କଲେଜର ହଷ୍ଟେଲ କୋଠରିରୁ ତାଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ଏସ୍‌ପି ପୁରୁଷୋତ୍ତମଦାସ ଏହି ମାମଲାର ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ରବିବାର ନିଲମ୍ବିତ କରିଥିଲେ। ଥାନା ଅଧିକାରୀ ଶରତ କୁମାର ମହାଲିକଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିଲା। ସୋମବାର କାର୍ଯ୍ୟରେ ଅବହେଳା ଦର୍ଶାଇ ମହାଲିକଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।