ବଳାତ୍କାର କରି ଭିଡିଓ ଭାଇରାଲ କରିବା ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଗନ୍ନାଥପ୍ରସାଦ, ୨୦।୧୧(ଡି.ଏନ୍‌.ଏ.): ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରି ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ବୁଧବାର ଦୁଇଜଣ ନାବାଳକଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଜଣଙ୍କ ହେଲେ ସଞ୍ଜୀବ ମାଝି(୨୦)। ପୋକ୍ସୋ ଆଇନ ଅନୁଯାୟୀ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ନାବାଳିକାଙ୍କ ବାପାଙ୍କ ଅଭିଯୋଗ ମୁତାବକ, ଗତ ଅଗଷ୍ଟ ୧୨ ତାରିଖରେ ତାଙ୍କ ଝିଅ ନିକଟସ୍ଥ ପୋଖରୀକୁ ଗାଧୋଇବା ଲାଗି ଯାଇଥିବା ବେଳେ ଅଭିଯୁକ୍ତ ଦୁଇ ନାବାଳକ ତାଙ୍କୁ ବଳପୂର୍ବକ ଉଠାଇନେଇ ବଳାତ୍କାର କରିଥିଲେ। ଏପରିକି ଏହି ସମୟର ଭିଡିଓ ରେକଡିଂ ମଧ୍ୟ କରିଥିଲେ। ଏହାର କିଛି ଦିନ ପରେ ସେହି ଭିଡିଓକୁ ଅନ୍ୟ ସାଙ୍ଗ ସଞ୍ଜୀବ ମାଝିଙ୍କୁ ଦେଖାଇଥିଲେ। ଏହା ଦେଖିବା ପରେ ସଞ୍ଜୀବ ମଧ୍ୟ ଉକ୍ତ ଭିଡିଓକୁ ପୀଡ଼ିତାଙ୍କୁ ଦେଖାଇ ଭାଇରାଲ କରିବା ଧମକ ଦେଇ ବଳାତ୍କାର କରିଥିଲେ। ପରେ ଭିଡିଓକୁ ଭାଇରାଲ ମଧ୍ୟ କରିଦେଇଥିଲେ। ଏନେଇ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା(ନଂ-୧୯୫/୧୯) ରୁଜୁ କରି ମଙ୍ଗଳବାର ରାତିରେ ଗ୍ରାମରେ ଚଢ଼ାଉ କରି ଘଟଣାରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ଉକ୍ତ ମୋବାଇଲକୁ ପୋଲିସ ଜବତ କରିଛି। ପୋକ୍ସୋ ଆଇନ ଅନୁଯାୟୀ ନାବାଳକଙ୍କ ଡାକ୍ତରୀମାଇନା କରାଯିବା ପରେ ଜୁଭେନାଇଲ କେନ୍ଦ୍ରକୁ ପଠାଇଦିଆଯାଇଛି। ସେହିଭଳି ଅନ୍ୟ ସାବାଳକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷେ ପୀଡ଼ିତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ୧୬୪ରେ ବୟାନ ରେକର୍ଡ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।