ବଳଦା ଲୁହାପଥର ଖଣି ହାତେଇଲା ସିରାଜୁଦ୍ଦିନ୍‌

ଭୁବନେଶ୍ୱର,୫-୨(ବ୍ୟୁରୋ):କେନ୍ଦୁଝର ଜିଲାରେ ଥିବା ବଳଦା ଲୁହା ପଥର ଖଣିକୁ ସିରାଜୁଦ୍ଦିନ୍‌ ଆଣ୍ଡ କୋ ନିଜ ପାଖରେ ରଖିବାରେ ସମର୍ଥ ହୋଇଛି। ସୋମବାର ମଧ୍ୟରାତ୍ର ପରେ ମଧ୍ୟ ଏହି ଖଣିର ନିଲାମୀ ପ୍ରକ୍ରିୟା ଜାରି ରହିଥିଲା। ରାତି ୨ଟା ୪୧ ମିନିଟ୍‌ରେ ସେହି ଖଣିର ଲୁହାପଥର ବିକ୍ରିମୂଲ୍ୟର ୧୧୮.୦୫ ପ୍ରତିଶତ ପଏଣ୍ଟରେ ନିଲାମୀ ଶେଷ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲ ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ହାତେଇଥିଲା। ଏହା ପୂର୍ବରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନୂଆଗଁା ଓ ନାରାୟଣପୋଷି ଲୁହାପଥର ଖଣି ହାତେଇଛି। ଏହି ଦୁଇଟି ଖଣିରେ ମୋଟ୍‌ ୯୮୦ ନିୟୁତ ଟନ୍‌ ଲୁହାପଥର ଥିବା କୁହାଯାଇଛି। ନୂଆଗାଁ ଲୁହାପଥର ଖଣିରେ ପ୍ରାୟ ୭୯୦ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ନାରାୟଣପୋଷି ଲୁହାପଥର ବ୍ଲକରେ ୧୯୦ ନିୟୁତ ଟନ୍‌ ରହିଥିବା ଆକଳନ କରାଯାଇଛି। ସେହିପରି ଶେଷ ଖବରସୁଦ୍ଧା ମଙ୍ଗଳବାର ସୁନ୍ଦରଗଡ ଜିଲାରେ ଥିବା ଗଣୁଆ ଖଣିର ନିଲାମୀ ଜାରି ରହିଥିଲା। ଏହି ଖଣିକୁ ହାତେଇବା ପାଇଁ କେଜେଏସ୍‌ ଆହଲୁୱାଲିଆ, ଜେଏସ୍‌ଡବ୍ଲ୍ୟୁ, ରୁଙ୍ଗଟା, ଶ୍ୟାମ୍‌ ଏବଂ ଅମଲଗମ୍‌ ପ୍ରଭୃତି ଚେଷ୍ଟା କରୁଛନ୍ତି। ଅନୁରୂପଭାବେ ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ବଡବିଲ ତହସିଲରେ ଥିବା ଜିଲିଙ୍ଗ୍‌ ଲଙ୍ଗାଲୋଟା ଖଣିର ନିଲାମୀ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ହାତେଇବା ପାଇଁ ଆଦାନୀ କମ୍ପାନୀ ୮୦.୭୦ ପ୍ରତିଶତ ମୂଲ୍ୟ ରଖି ଆବେଦନ କରିଥିବା ଜଣାପଡିଛି। ତେଣୁ ଏହି ଖଣି କିଏ ହାତେଇପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୧୯ଟି ଖଣିର ନିଲାମ ପ୍ରକ୍ରିୟା ଚାଲିଛି। ସମସ୍ତ ଖଣିର ନିଲାମ ଫେବୃୟାରୀ ୧୮ ସୁଦ୍ଧା ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ।