Categories: ଗଞ୍ଜାମ

ବଲାତ୍କାରୀ ଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୧ା୫-ଜଣେ ନାବାଳିକାଙ୍କୁ ବଳାତ୍କାର  ମାମଲାର ବିଚାର କରି ଡେଜିଗନେଟେଡ୍‌ ପୋକ୍‌ସୋ ଜଜ୍‌ ଦୀପକ କୁମାର ଅଭିଯୁକ୍ତ କାଳିଆ ଦାସଙ୍କୁ ଶୁକ୍ରବାର ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ହେଇଛି। ଜରିମାନା ନ ଦେଲେ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବେ। ସେହିପରି ନ୍ୟାଶନାଲ୍‌ ଲିଗାଲ୍‌ ସର୍ଭିସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏନ୍‌ଏଏଲଏସ) ଗାଇଡ୍‌ ଲାଇନ ଅନୁସାରେ ପୀଡ଼ିତାଙ୍କୁ ଥଇଥାନ ପାଇଁ ୭ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲା ପ୍ରାଧିକରଣ ସଚିବ (ଡିଏଲଏସଓ)ଙ୍କୁ କୋର୍ଟ ତରଫରୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।  ୨୦୧୬ ଅଗଷ୍ଟ ୧୧ରେ ନାବାଳିକାଙ୍କୁ କାଳିଆ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ନଂ.୧୧୯/୧୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କାଳିଆ ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଘଟଣା ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍‌କାଳୀନ ପୁରୁଷୋତ୍ତମପୁର ଥାନା ଏସଆଇ ବିୟୁଟି ମହାନ୍ତି କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିଲେ । ଅଭିଯୁକ୍ତ କାଳିଆ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ଶୁକ୍ରବାର ଏହି ମାମଲାର ବିଚାର ବେଳେ ୧୪ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିବାରୁ ଜଜ୍‌ ଦୀପକ କୁମାର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ପୀଡ଼ିତା ଏବେ ନିଜ ବାପା ମାଆଙ୍କ ପାଖରେ ରହୁଥିବା ଜଣାପଡ଼ିଛି ।