ବଲାଣି ସେଲ୍‌ ଖଣିରେ ଦୁର୍ଘଟଣା: କ୍ରଶରରେ ଚାପି ହୋଇ ଶ୍ରମିକଙ୍କ ୩ ଆଙ୍ଗୁଠି କଟିଲା

ବଡ଼ବିଲ, ୧୦।୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିଃ(ସେଲ) ଖଣିରେ ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିଛି। କ୍ରଶର ପ୍ଲାଣ୍ଟରେ କାମ କରୁଥିବାବେଳେ ଚାପି ହୋଇ ଜଣେ ଠିକା ଶ୍ରମିକଙ୍କ ହାତର ୩ଟି ଆଙ୍ଗୁଠି କଟିଯାଇଥିବା ଜଣାପଡିଛି। ସକାଳେ ଖଣିରେ ଥିବା ଏକ ୬ଶହ ଟିପିଏଚ୍‌ କ୍ରଶରରେ ଶ୍ରମିକ ବ୍ରଜ ମୁଣ୍ଡା କାର୍ଯ୍ୟ କରୁଥିବାବେଳେ ତାଙ୍କ ହାତ ଚାପିହୋଇ ଯାଇଥିଲା। ଫଳରେ ତାଙ୍କର ୩ଟି ଆଙ୍ଗୁଠି କଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ତେବେ ଦୁର୍ଘଟଣା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ମତାମତ ମିଳିପାରିନାହିଁ ।