ବଲାଙ୍ଗୀର ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ୍‌, ଓହ୍ଲାଇଲେ ୨୨୫ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୬ା୫- ବଲାଙ୍ଗୀର ରେଳଷ୍ଟେଶନରେ ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାମିଲନାଡୁର କୋଏମ୍ବାଟୁରଠାରୁ ବାଲେଶ୍ୱର ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚିଥିଲା। ଏହି ଷ୍ଟେଶନ୍‌ରେ ୨୨୫ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୦ଜଣ, ବରଗଡର ୩୧, ବୌଦ୍ଧ ଜିଲାର ୫୦, ଦେବଗଡର ୭, ଝାରସୁଗୁଡାର ୧, କଳାହାଣ୍ଡି ଜିଲାର ୩୦, ନୟାଗଡର ୨୪, ନୂଆପଡାର ୧୪, ସମ୍ବଲପୁର ଜିଲାର ୧୦, ସୁବର୍ଣ୍ଣପୁର ଜିଲାର ୨୫ ଓ ସୁନ୍ଦରଗଡ ଜିଲାର ୩ ଜଣ ପ୍ରବାସୀ ଶ୍ରମିକ ଥିଲେ। ସମସ୍ତଙ୍କୁ ରେଳଷ୍ଟେଶନ ବାହାରେ ଥିବା କାଉଣ୍ଟରରେ ରେଜିଷ୍ଟ୍ରେଶନ କରାଯାଇଥିଲା । ସେଠାରେ ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ଷ୍ଟାମ୍ପ ଲଗାଯାଇଥିଲା । ପ୍ରବାସୀମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ବିଭିନ୍ନ ବସ୍‌ ଓ ଯାନବାହନରେ ପ୍ରବାସୀମାନଙ୍କ ବିଭିନ୍ନ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏହି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସିବା ପରିପ୍ରେକ୍ଷୀରେ ପ୍ରବାସୀଙ୍କ ଆଗମନ ଓ ପ୍ରତ୍ୟାଗମନକୁ ସୁବ୍ୟବସ୍ଥିତ କରିବା ପାଇଁ ସହରରେ କେତେକ ନିର୍ଦ୍ଦିଷ୍ଟ ରାସ୍ତା ଓ ଅଞ୍ଚଳରେ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଥିଲା। କୋଏମ୍ବାଟୁର-ବାଲେଶ୍ୱର ଟ୍ରେନ୍‌ ପରେ ଆନ୍ଧ୍ରପ୍ରଦେଶର କୁର୍ନୂଲରୁ ଆସୁଥିବା ଟ୍ରେନ୍‌ ସନ୍ଧ୍ୟାରେ ବଲାଙ୍ଗୀର ଷ୍ଟେଶନ୍‌ରେ ପହଞ୍ଚତ୍ବ ବୋଲି କୁହାଯାଇଥିଲା। ମାତ୍ର ଏହି ଟ୍ରେନ୍‌ ପହଞ୍ଚତ୍ବା ଢ଼େର ବିଳମ୍ବ ହେବ ବୋଲି ସୂଚନା ମିଳିଛି । ଏହି ଟ୍ରେନ୍‌ରେ ମଧ୍ୟ ଓଡିଶାର ବିଭିନ୍ନ ଜିଲାର ପ୍ରବାସୀମାନେ ଆସି ବଲାଙ୍ଗୀର ରେଳଷ୍ଟେଶନ୍‌ରେ ଓହ୍ଲାଇବେ।