ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂସ୍ପର୍ଶରେ ଆସିଥିବା ପ୍ରଥମ ୫୩ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ତେବେ ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ ଆସିଥିବା ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଓ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧ ତାରିଖରେ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ଏହି ଅବଧିକୁ ବୃଦ୍ଧି କରାଯାଇ ଆସନ୍ତା ୬ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରିକରାଯାଇଛି । ସୋମବାର ତୁଷରା ଏନ୍‌ଏସିର ତୁଷରା ସହରକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା, ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ସ୍ବାସ୍ଥ୍ୟଗତ ଲକ୍ଷଣ ସମ୍ପର୍କରେ ସର୍ଭେ କରୁଛନ୍ତି । କାଶ, ସର୍ଦ୍ଦି ଓ ଜ୍ୱର ଲକ୍ଷଣ ରହିଥିବା ବ୍ୟକ୍ତିଙ୍କର ତାଲିକା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।