ବଲାଙ୍ଗୀରରେ ଦୁଇ ଦିନିଆ ଶଟ୍‌ଡାଉନ୍‌ ଆରମ୍ଭ: ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବନ୍ଦ, ରାସ୍ତାଘାଟ ଜନଶୂନ୍ୟ

ବଲାଙ୍ଗୀର ଅଫିସ, ୧୩।୬- କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଜୁନ ମାସର ଦ୍ବିତୀୟ ଶନିବାର ବଲାଙ୍ଗୀର ଜିଲାରେ ସମ୍ପର୍ଣ୍ଣ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଜିଲାରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ କ୍ଷେତ୍ରରେ କଟକଣା ଲଗାଯାଇଛି । ଶନିବାର ଓ ରବିବାର ଦୁଇଦିନିଆ ଶଟ୍‌ଡାଉନ୍‌ ଆରମ୍ଭ ହେବା ପରେ ପୋଲିସ ବିଭାଗ ପକ୍ଷରୁ ପହରାକୁ କଡାକଡି କରାଯାଇଛି । ଜିଲାର ସମସ୍ତ ପ୍ରମୁଖ ରାସ୍ତାଘାଟ ଉପରେ କଡା ନଜର ରଖାଯାଇଛି । ବଲାଙ୍ଗୀର ଜିଲା ସଦର ମହକୁମା ସହ ଟିଟିଲଗଡ ମ୍ୟୁନିସିପାଲିଟି, ପାଟଣାଗଡ, କଣ୍ଟାବାଞ୍ଜି ଓ ତୁଷରା ସହରାଞ୍ଚଳ ଓ ସମସ୍ତ ଗ୍ରାମାଞ୍ଚଳରେ ମଧ୍ୟ ସଟ୍‌ଡାଉନ୍‌ ନିୟମ ଲାଗୁ ହୋଇଛି । ବଲାଙ୍ଗୀର ସହରରେ ପୋଲିସ ପହରାକୁ କଡାକଡି କରାଯାଇଛି । ସକାଳ ୭ଟାରୁ ସମ୍ପୂର୍ଣ୍ଣ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଛି। ସମସ୍ତ ଦୋକାନ ବଜାର, ଅଫିସ, ବ୍ୟାଙ୍କ, ସ୍କୁଲ କଲେଜ, ସମସ୍ତ ପ୍ରକାର ଅନୁଷ୍ଠାନ ବନ୍ଦ କରାଯାଇଛି । ହସପିଟାଲ, କ୍ଳିନିକ, ନର୍ସିଂହୋମ, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବାକୁ ଅନୁମତି ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନ ସମସ୍ତ ଜରୁରୀକାନୀଳ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ କଟକଣାରୁ ବାଦ ଦିଆଯାଇଛି । ପେଟ୍ରୋଲ ପମ୍ପ, ଟେଲିକମ ସେବା, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।