ବଲାଙ୍ଗୀର ସହରରେ ଅମାନିଆଙ୍କୁ ଛାଟ: ୨ଶହରୁ ଅଧିକ ଗାଡ଼ି ଜବତ କଲା ପୋଲିସ, ଗଣିଲେ ତଣ୍ଡ

ବଲାଙ୍ଗୀର,୯ା୫- ମହାମାରୀ କରୋନା ମୁକାବିଲା ପାଇଁ ବଲାଙ୍ଗୀର ଜିଲା ପ୍ରଶାସନ ଜୋର ଦେଉଛନ୍ତି। ହେଲେ ବଲାଙ୍ଗୀର ସହରରେ କିଛି ଅମାନିଆ ଗାଡି ଚାଳକ କରୋନା କଟକଣାକୁ ମାନୁ ନଥିବା ଦେଖାଦେଇଛି। ଜରୁରୀ କାମ ନ ଥିବା ସତ୍ତ୍ୱେ ଘରୁ ବାହାରୁଛନ୍ତି। ଯାହା ଫଳରେ ପ୍ରଶାସନର ଚିନ୍ତା ବଢାଇଛି। ଅରେଞ୍ଜ ଜୋନ ଥିଲେ ହେଁ ଲୋକେ କରୋନାକୁ ଖାତିର କରୁନାହାନ୍ତି। ଏହାକୁ ଆଖି ଆଗରେ ରଖି ଶନିବାର ସକାଳୁ ବଲାଙ୍ଗୀର ସହରରେ ପୋଲିସ ଧରପଗଡ ଆରମ୍ଭ କରିଛି। ଟାଉନ ଥାନା ପକ୍ଷରୁ ଥାନା ସମ୍ମୁଖରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଚେକିଂ କରାଯାଇଥିଲା। ଅମାନିଆ ଗାଡିଚାଳକଙ୍କୁ ଥାନାକୁ ନିଆଯାଇ ପଚରା ଉଚରା କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା। ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ବାଇକ ଥାନାକୁ ଅଣାଯାଇଥିଲା। ଅନେକ ଗାଡିରେ ୨ରୁ ୩ ଜଣରୁ ଅଧିକ ବସୁଥିବା ବେଳେ ସେମାନଙ୍କ ପକ୍ଷରୁ କୋଭିଡ-୧୯ର ନିୟମ ଉଲଂଘନ କରାଯାଉଥିବାରୁ ଆଗାମୀ ଦିନରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ା