ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ ଆଉ ଅନ୍ୟ ଅଞ୍ଚଳରେ ତଳି ରୁଆ କାମ ଆରମ୍ଭ ହୋଇ ପାରୁନାହିଁ ା ଏଭଳି ହରିଚନ୍ଦନପୁର ବ୍ଲକ ଗାଁ ମାନଙ୍କରେ ଦୀର୍ଘ ଦିନରୁ ପର୍ଯ୍ୟାପ୍ତ ବର୍ଷା ହେଉ ନ ଥିବାରୁ ଅନେକ ସ୍ଥାନରେ ଚାଷ ଜମି ଫାଟି ଆଁ କଲାଣି ା ଫଳରେ ଚାଷୀ ମାନେ ଅନିଶ୍ଚତତା ମଧ୍ୟରେ ରହିଥିବା ବେଳେ ସାମନ୍ୟ ବର୍ଷା ହେଲେ ବଜ୍ରପାତ ଘଟି ଜୀବନ ହାନୀ ଘଟୁଛି। ଏଣୁ ଲୋକେ କେଉଁଠି ବେଙ୍ଗ ବାହାଘର ତ କେଉଁଠି ଗ୍ରାମ ଦେବାଦେବୀଙ୍କୁ ମାଜଣା କରି ବର୍ଷାକୁ ଡାକୁଛନ୍ତି। ଏଭଳି ଗୁରୁବାର ଠାକୁରପଡା ପଞ୍ଚାୟତର ରାଇଡିହା ଗ୍ରାମରେ ଭଲ ବର୍ଷା ହେବା ପାଇଁ ଏବଂ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ଆତ୍ମାର ସଦଗତି ପାଇଁ ଓ ଆଉ ବଜ୍ରପାତ ନ ହେବା ପାଇଁ ଗ୍ରାମ ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା କରିବା ସହ ମାଜଣା କରିଛନ୍ତି। ପୂଜାପାଠ କଲେ ଗ୍ରାମର ସମସ୍ତ ସମସ୍ୟା ଦୂର ହେବ ଓ ଭଲ ବର୍ଷା ହେବ ବୋଲି ଗ୍ରାମବାସୀଙ୍କର ଏକ ପ୍ରକାର ବିଶ୍ୱାସ ରହିଛି। ଶତାଧିକ ମହିଳା ଏକତ୍ରିତ ହୋଇ ବିଭିନ୍ନ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଏବଂ ଗୀତ ଗାଇ ମହାବୀରା ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଅକ୍ଷୟତୃତୀୟା ଦିନ ଠାରୁ ଚାଷ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲେ ହେଁ ଜଳାଭାବ ଯୋଗୁଁ ୨ ମାସ ହେଲା ଅନେକ ଚାଷୀ ଚାଷ କାର୍ଯ୍ୟ କରିପାରୁନଥିବା ସେମାନେ କହିଛନ୍ତି। ଧାନ ତଳା ପାଣି ଅଭାବରୁ ନାଲିଆ ପଡିଯାଇଥିବା ବେଳେ ମାଟି ଶୁଖି ଫାଟି ଗଲାଣି। ଏଣୁ ଚାଷୀ ମାନେ ମୁଣ୍ଡରେ ହାତଦେଇ ଆକାଶକୁ ଚାହିଁ ବସିଛନ୍ତି। ଏଣୁ ମହାବୀରା ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରିବା ବେଳେ ହଠାତ୍‌ ଅଲୌକିକ ଭାବେ ବର୍ଷା ହୋଇଥିଲା ା ଫଳରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ା ବର୍ଷାରେ ଭିଜି ଭିଜି ଖୁସିରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ।