Categories: ରାଜ୍ୟ

ବର୍ଷା ପାଇଁ ଇନ୍ଦ୍ର ପୂଜା

ବନ୍ତଳା, ୨୬ା୭(ଡି.ଏନ.ଏ.)-ଜଳାଭାବ ଓ ମରୁଡ଼ି ପରିସ୍ଥିତି ଆଶଙ୍କା ଯୋଗୁ ଚାଷୀ ଚିନ୍ତାରେ ପଡିଥିବାବେଳେ ବର୍ଷା ପାଇଁ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳ ପୋକତୁଙ୍ଗା ଗ୍ରାମରେ ଇନ୍ଦ୍ରପୂଜା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ବୁଧବାର ଗ୍ରାମର ରଣେଶ୍ୱର ମନ୍ଦିରରେ ଗ୍ରାମବାସୀ ପୂଜାପାଠର ଆୟୋଜନ କରିଥିଲେ। ରୁଷ୍ୟ ଶୃଙ୍ଗକୁ ମୁଣ୍ଡରେ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳକୁ ଅଣାଯାଇଥିଲା। ପୁରୋହିତ ହେମନ୍ତ କର, ଗୟା କର, ରଞ୍ଜନ କରଙ୍କ ସମେତ ୬ ଜଣ ହୋମ ଯଜ୍ଞ କରିଥିଲେ। ଜଗନ୍ନାଥ ସାମଲ ସ୍ତ୍ରୀଙ୍କ ସହ ଯଜ୍ଞ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା। ପୋକତୁଙ୍ଗା,ବନ୍ତଳା, ଶଙ୍ଖପୁର, ବାରଗୌଣିଆ, ତଲଗଡ଼, ଖିଣ୍ଡା, ଗଡତରାସ, ବଡ଼କନ୍ତକୁଳ, ବସଲା, ବେଡା ଶାସନ, କୁମୁରିସିଙ୍ଗା, ଇଙ୍କର ବନ୍ଧ, ଛେଳିଆ ପଡା ଓ ସାତକୋଶିଆ ଅଭୟାରଣ୍ୟ ଅଧୀନରେ ଥିବା ୧୦ ପଞ୍ଚାୟତରେ ବର୍ଷା ଅଭାବରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି। ତେବେ ବୁଧବାର ରାତିରୁ ବନ୍ତଳା ଅଞ୍ଚଳରେ ବର୍ଷା ହୋଇଥିବାରୁ ସେମାନେ ଆଶ୍ୱସ୍ତ ହୋଇଛନ୍ତି। ଗ୍ରାମ ସଭାପତି ପପୁ ପ୍ରଧାନ, ସମ୍ପାଦକ ପ୍ରଶାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ ପ୍ରଧାନ, ଲମ୍ବୋଦର ଦେହୁରୀ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଖୁସି ବ୍ୟକ୍ତ କରିଛନ୍ତି।