ବର୍ଷାରେ ଭାଙ୍ଗିଗଲା ଘର: ୨ ପରିବାର ବେସାହାରା

କୋକସରା,୧୭।୮(ଡି.ଏନ.ଏ) ଗତ କିଛିଦିନ ତଳେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ କୋକସରା ବ୍ଲକର ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କୁମୁଦ ମାଝୀ ଓ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଗ୍ରାମର ସୁଲୋଚନା ଜାଳଙ୍କ ମାଟିଘର ବର୍ଷା କାରଣରୁ ଭାଙ୍ଗି ଯାଇଥିବା ନେଇ ଅଭିଯୋଗ ହୋଇଛି। ଘର ଭାଙ୍ଗିବା ପରେ ଦୁଇ ପରିବାର ବେସାହାରା ହୋଇ ପଡିଛନ୍ତି। ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର କୁମୁଦ ମାଝୀଙ୍କ ମାଟି ଘର ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡିଛି। ଏ ନେଇ ଆମପାଣି ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ ଆମପାଣି ଆରଆଇଙ୍କୁ ଜଣାଇବା ପରେ ରିପୋର୍ଟ ସଂଗ୍ରହ କରାଯାଇଛି। ସେହିପରି ଫୁଫଗାଁ ଗ୍ରାମର ସୁଲୋଚନା ଜାଳଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।
ଘର ଭାଙ୍ଗିବା ପରେ ଏହି ଦୁଇ ପରିବାର ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଘର ଭାଙ୍ଗିବା ପରେ ରାଜସ୍ବ ବିଭାଗର ଅଧିକାରୀ ପହଞ୍ଚି ସହାୟତା ବାବଦରେ କେବଳ ପଲିଥିନ ଦେଇଥିବା ଜଣାପଡ଼ିଛି। ତେବେ ଘର ମରାମତି କରିବାକୁ ଆର୍ଥିକ ସମ୍ବଳ ନ ଥିବା କାରଣରୁ ବ୍ଲକ ପ୍ରଶାସନ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପୀଡିତ ପରିବାର ନିବେଦନ କରିଛନ୍ତି।