Categories: ନୟାଗଡ଼

ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

ଖଣ୍ଡପଡ଼ା,୨୪ା୬(ସ୍ବ.ପ୍ର.): ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଖଣ୍ଡପଡ଼ା ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଏସି କର୍ମଚାରୀ ଓ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ସହରର ବର୍ଜ୍ୟବସ୍ତୁ ପରିବେଶ ପ୍ରତି ବିପଦର କାରଣ ପାଲଟିଥିବାବେଳେ ଏହାର ସୁପରିଚାଳନା ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଜରୁରୀ ବୋଲି ନିର୍ବାହୀ ଅଧିକାରିଣୀ ଷଡ଼ଙ୍ଗୀ ପରାମର୍ଶ ଦେଇଥିଲେ। ସହରକୁ ସ୍ବଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ଏ ଅବସରରେ ସମସ୍ତେ ଶପଥ ନେଇଥିଲେ। ଡଷ୍ଟବିନ୍‌ରେ ନିୟମିତ ଅଳିଆ ଓ ଆବର୍ଜନା ପକାଇବା, ପଲିଥିନ୍‌ ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ସମସ୍ତେ ଯନତ୍ବାନ ହେବାକୁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ପ୍ରଶିକ୍ଷଣ ନେଇଥିବା ଏନ୍‌ଏସି ଓ ସଫେଇ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏନ୍‌ଏସି ଗୋଷ୍ଠୀ ସଂଗଠିକା ଇନ୍ଦୁମତୀ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।