ବରୁଣଗଡ଼ିଆ ଛକ ନିକଟରେ ଦୁର୍ଘଟଣା, ଶ୍ରମିକ ମୃତ

ରୂପ୍‌ସା, ୩୧।୧୨(ଡି.ଏନ.ଏ.)-ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ବରୁଣଗଡ଼ିଆ ଛକ ନିକଟରେ ସୋମବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ରୂପ୍‌ସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆ ଶାସନ ଗ୍ରାମର ସନ୍ତୋଷ କୁମାର ପ୍ରଧାନ (୪୫) ା

ସେ ଅମର୍ଦ୍ଦାରୋଡ଼ସ୍ଥିତ ନଟାକଟା ସେବା ସମବାୟ ସମିତିର ଧାନକ୍ରୟ କେନ୍ଦ୍ରକୁ ଯାଇ ଅନ୍ୟ ଶ୍ରମିକଙ୍କ ସହ ଧାନବସ୍ତା ସବୁ ମିଲରଙ୍କ ଟ୍ରକ୍‌ରେ ଲୋଡ଼ିଂ କରୁଥିଲେ। କାମ ସାରି ରାତିରେ ଘରକୁ ଆସିବା ପାଇଁ ବରୁଣଗଡ଼ିଆ ଛକଠାରେ ଅପେକ୍ଷା କରିଥିଲେ। ଦ୍ରୁତଗାମୀ ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଆହତ ଶ୍ରମିକଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ୱର ନେବା ବାଟରେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବସ୍ତା ଥାନାରେ ମଙ୍ଗଳବାର ପୋଲିସ ଏକ ମାମଲା (ନଂ. ୪୪୯/୧୯) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।