ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ ବ୍ଲକରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ବରୀ ବ୍ଲକ କଳାମାଟିଆ ପଞ୍ଚାୟତର କାଇପଡା ଗ୍ରାମର ଜଣେ ୨୮ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମାର୍ଚ୍ଚ୨୮ରେ ସେ କୋଲକାତାରୁ ୪ଜଣଙ୍କ ସହିତ ଘରକୁ ଫେରିଥିଲେ। ଗାଁକୁ ଫେରିବା ସମୟରେ ପଶ୍ଚିମବଙ୍ଗ ସୀମା ପୋଲିସ ସେମାନଙ୍କୁ ଅଟକାଇଥିଲା ବୋଲି ସୂଚନା ମିଳିଛି। ପରବର୍ତ୍ତୀ ଅବସ୍ଥାରେ ଉକ୍ତ ୫ ଜଣ ଏକ ବୋଲେରୋ ଯୋଗେ ନିଜ ଗାଁରେ ପହଞ୍ଚିିଥିଲେ। ମାଛ ଗାଡି, ବୋଲେରୋ, ଡିଜାର ସୁଇପ୍ଟ ଆଦି ଗାଡ଼ିରେ ସେ କୋଲକାତାରୁ ଫେରିଥିବା ନେଇ ସୂଚନା ରହିଛି। ଫେରିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ମଧ୍ୟ ସେ ଗାଁର କିଛି ଯୁବକଙ୍କ ସହ ତାସ୍‌, କ୍ରିକେଟ ଖେଳିବା ସହ ବୁଲାବୁଲି ମଧ୍ୟ କରିଛନ୍ତି। ପାଖାପାଖି ୧ହଜାର ଲୋକଙ୍କ ସହିତ ସେ ମିଶିଥିବା ଅନୁମାନ କରାଯାଉଛି। ଯାହା ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଶନିବାର ସକାଳେ ପ୍ରଶାସନ ସଂକ୍ରମିତ ବ୍ୟକ୍ତିଙ୍କ ଘରେ ପହଞ୍ଚିିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅପରପକ୍ଷେ ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।