ବରାହ ମହାନ୍ତିଙ୍କ ପରଲୋକ

କଟକ ଅଫିସ,୧୬।୬: ଦୂରଦର୍ଶନ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ବରାହ ମହାନ୍ତିଙ୍କ ସୋମବାର ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। କଟକ ତୁଳସୀପୁରସ୍ଥିତ ବାସଭବନରେ ପହଞ୍ଚତ୍ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି।
୧୯୪୭ ଏପ୍ରିଲ ୯ରେ କେନ୍ଦ୍ରାପଡ଼ାର ଆଳିଠାରେ ହରେକୃଷ୍ଣ ମହାନ୍ତି ଓ ସୁନ୍ଦରମଣୀ ମହାନ୍ତିଙ୍କଠାରୁ ବରାହ ଜନ୍ମ ନେଇଥିଲେ। ଅନୁଗୋଳ ସହରରେ ଶୈଶବ ଓ କିଶୋର ଜୀବନ କଟିଥିଲା। ରେଭେନ୍ସା କଲେଜରୁ ଅର୍ଥନୀତିରେ ଉଚ୍ଚଶିକ୍ଷା ପରେ ଅଧ୍ୟାପନା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଗଞ୍ଜାମ ଜିଲା ଆସିକା କଲେଜରେ ୧୯୬୯ରୁ ୧୯୭୫ ପର୍ଯ୍ୟନ୍ତ ଶିକ୍ଷକତା କରିଥିଲେ। ୧୯୭୫ରେ ଶିକ୍ଷକତା ଛାଡ଼ି ଆକାଶବାଣୀରେ ଯୋଗ ଦେଇଥିଲେ। ୧୯୮୮ ପର୍ଯ୍ୟନ୍ତ କାର୍ଯ୍ୟ କରିବା ଭିତରେ ସେ କଟକ, ଜୟପୁର, ସମ୍ବଲପୁର, କୋହିମା, ତୁରା, ଗ୍ୟାଙ୍ଗଟକ ଓ ରାୟପୁର ଆକାଶବାଣୀ କେନ୍ଦ୍ରର ବିଭିନ୍ନ ପଦବୀରେ ରହିଥିଲେ। ପରେ ସେ ଦୂରଦର୍ଶନରେ ଯୋଗଦେଇ ୨୦୦୭ ଏପ୍ରିଲ ୩୦ରେ ଅବସର ନେଇଥିଲେ। ଏହି ସମୟରେ ସେ ଡିଡି ନ୍ୟୁଜ, ଡିଡି ସ୍ପୋର୍ଟସ, ଡିଡି ନ୍ୟାଶନାଲ୍‌, ଡିଡି ନର୍ଥଇଷ୍ଟ ଚ୍ୟାନେଲର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଥିଲେ। ସେ ଏକମାତ୍ର ବ୍ୟକ୍ତି ଭାବେ ଏକକାଳୀନ କଟକ ଆକାଶବାଣୀ, ଭୁବନେଶ୍ୱରସ୍ଥିତ ଦୂରଦର୍ଶନ ଓ କର୍ମଚାରୀ ତାଲିମ୍‌ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ପରିବାରରେ ସ୍ତ୍ରୀ ପ୍ରତିଭା, ଝିଅ ପଲ୍ଲବୀ, ପୂରବୀ ଓ କରବୀ, ପୁଅ ବିଶ୍ୱନାଥ ରହିଛନ୍ତି। ସତୀଚଉରାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।