ବରଗଡ଼ରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା, ସୁନାଗହଣା; ଟାଉନ ଥାନା ପୋଲିସର ତନାଘନା

ବରଗଡ଼ ଅଫିସ୍‌,୨।୮- ବରଗଡ଼ ସହରରେ ଗତ କିଛିମାସ ହେଲା ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଘଟୁଛି । ଦିନ ଦ୍ୱିପ୍ରହରରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହେଉଥିବାବେଳେ ବିଳମ୍ବିତ ରାତ୍ରିରେ ଘରେ ପଶି ଚୋରମାନେ ନଗଦ ଟଙ୍କା, ସୁନା ଗହଣା, ଆସବାବପତ୍ର ଆଦି ଚୋରି କରି ନେଉଛନ୍ତି। ସହରର ୱାର୍ଡ଼ ନଂ-୯ ବାନ୍ଦୁଟିକ୍ରାରେ ଜଣଙ୍କ ଘରୁ ନଗଦ ଟଙ୍କା, ସୁନା ଗହଣା, ଆସବାବପତ୍ର ଚୋରି ହେବା ନେଇ ଶୁକ୍ରବାର ଅଭିଯୋଗ କରିବା ପରେ ସ୍ଥାନୀୟ ଟାଉନ ଥାନା ପୋଲିସ ଏହାର ତନାଘନା ଆରମ୍ଭ କରିଛି।

ପ୍ରକାଶ ଯେ, ୫ ଦିନ ତଳେ ବାନ୍ଦୁଟିକ୍ରା ନିବାସୀ ବିଷ୍ଣୁଚରଣ ସାହୁ ସପରିବାର ବାବାଧାମ ତୀର୍ଥରେ ଯାଇଥିଲେ। ଗୁରୁବାର ବିଳମ୍ବିତ ରାତ୍ରି ପ୍ରାୟ ୨ଟାରେ ଘରକୁ ଫେରିବା ପରେ ତାଙ୍କ ଘର କବାଟ ଓ ଆଲମିରା ତାଲା ଭାଙ୍ଗି ଚୋରମାନେ ୩ଟି ସୁନାମୁଦି, ୩ଟି ଘଣ୍ଟା, ନଗଦ ୧୫ହଜାର ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଥାନାରେ ଏତଲା ଦେବା ପରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ କ୍ଷୀରୋଦ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।