ବମିଖାଲ ଦୁର୍ଗାପୂଜା ସମିତି : ତୋରଣରେ ଜମ୍ମୁ-କଶ୍ମୀର ପ୍ୟାଲେସ

ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ବର୍ଷରେ ପଦାର୍ପଣ କରିଛି। ପୂର୍ବରୁ ଅନେକ ତୋରଣ ନେଇ ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଏ ବର୍ଷ ସହରାଞ୍ଚଳ ରାସ୍ତା କଡରେ ଜମ୍ମୁ-କଶ୍ମୀର ପ୍ୟାଲେସ ନିର୍ମାଣ କରିବ। ତୋରଣର ଉଚ୍ଚତା ୮୦ଫୁଟ ଓ ଓସାର ୧୨୦ଫୁଟ ରହିବ। ଯାହାକି ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି ଅବାହକ ପର୍ଶୁରାମ ଜେନା କହିଛନ୍ତି। ସେହିଭଳି ମେଢ ଓ ମୂର୍ତ୍ତିର ଉଚ୍ଚତା ୨୨ଫୁଟ ରଖାଯିବା ପାଇଁ ସ୍ଥିର ହୋଇଛି। ଏ ନେଇ ପୂଜା ବଜେଟ ୩୫ଲକ୍ଷ ଟଙ୍କା ରଖାଯାଇଥିବା କର୍ମକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି। ବିଭିନ୍ନ ରଙ୍ଗବେରଙ୍ଗର ପଥର ସହ ଲଣ୍ଠନ ଫିତାରେ ପୂଜାମଣ୍ଡପ ଆଭ୍ୟନ୍ତରୀଣ ସଜା ହେବ। ଅଷ୍ଟମୀ ତିଥିରୁ ନବମୀ ପର୍ଯ୍ୟନ୍ତ ଖେଚୁଡି ଭୋଗ ଓ ଦଶମୀ ତିଥିରେ ଦୁର୍ଗାଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହେବ। ମଣ୍ଡପ ପରିସରରେ ୨୦ ସିସି କ୍ୟାମେରା ଖଞ୍ଜାଯିବ। ଶାନ୍ତିଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ସହ ୨୫ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସମିତି ପକ୍ଷରୁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯିବ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ଦୀର୍ଘ ବର୍ଷ ଧରି ବମିଖାଲ ପୂଜା ସମିତି ଶାନ୍ତି ଶୃଙ୍ଖଳାରେ ଉତ୍ସବ ଜାରି ରଖିଛି। ବିଭିନ୍ନ ସମୟରେ ଅନେକ ପରିକଳ୍ପନା ନେଇ ଏଠାରେ ନିର୍ମାଣ ହେଉଥିବା ତୋରଣ କ୍ରମେ ଲୋକଙ୍କୁ ଆକୃଷ୍ଟ କରିଛି।
– ସୁଶାନ୍ତ କୁମାର ଜେନା(ସଭାପତି)
ବରିଷ୍ଠ ନାଗରିକ ଓ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସମିତି କର୍ମକର୍ତ୍ତା ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଥାଏ। ଚଳିତ ଥର ମଧ୍ୟ ଏହା ଜାରି ରହିବା ସହ ଅଷ୍ଟମୀ ତିଥିଠାରୁ ଦଶମୀ ପର୍ଯ୍ୟନ୍ତ ମଣ୍ଡପରେ ମହିଳା ସ୍ବେଚ୍ଛାସେବୀ ରହିବେ।
– ସୁଜନ କୁମାର ଜେନା(ସମ୍ପାଦକ)
ଚଳିତ ବର୍ଷ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାଦ୍ୟ ଉପରେ କଟକଣା ଜାରି କରାଯାଇଛି ତେଣୁ ଏ ବର୍ଷ ପାରମ୍ପାରିକ ବାଦ୍ୟ ଉପରେ ଗୁରୁତ୍ୱ ଦେଉଛୁ। କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ପୁଲବାଣୀ ଅଞ୍ଚଳର ବାଦ୍ୟକାର ଏଥର ସେମାନଙ୍କର କଳା ପ୍ରଦର୍ଶନ କରିବେ।
– ଶୈଳେନ୍ଦ୍ର ଜେନା(ଉପ ସଭାପତି)