ବମିଖାଲରେ ତ୍ୱରାନ୍ବିତ ହେବ ବିଶୋଧନ, ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଏହି ଅଞ୍ଚଳରେ ୩ ଜଣଙ୍କଠାରେ କରୋନା ପଜେଟିିଭ ଚିହ୍ନଟ ହୋଇଥିବାବେଳେ ରବିବାର ଗୋଟିଏ ଦିନରେ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଯାହାକି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ମୁଣ୍ଡବିନ୍ଧାର କାରଣ ସାଜିଛି। ଏବେ ବିଏମ୍‌ସି ଦ୍ୱାରା କରାଯାଉଥିବା ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ବିଶୋଧନ ପ୍ରକ୍ରିୟା ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ବିଏମ୍‌ସି ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ କହିଛନ୍ତି। ବମିଖାଲ ଅଞ୍ଚଳରେ ଏବେ କଡ଼ାକଡ଼ି ଭାବେ ଆବଦ୍ଧ ଅଞ୍ଚଳ ନିୟମ ପାଳନ କରିବାକୁ ବିଏମ୍‌ସି ପ୍ରସ୍ତୁତ ହୋଇଛି। କେହି ବି ଲୋକ ଯଦି ବାହାରେ ବୁଲୁଥିବାର ନଜରକୁ ଆସେ ତେବେ ତାଙ୍କୁ ସିଧାସଳଖ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।