Categories: ରାଜ୍ୟ

ବନ ବିଭାଗ ପକ୍ଷରୁ ଚଢ଼ାଉ: ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ

ଓଡ଼ଗାଁ,୧୩ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବାହାଡ଼ାଝୋଲା ସେକ୍ସନ ଅଧୀନ ବିଭିନ୍ନ ଗ୍ରାମରେ ବିଭାଗ ତରଫରୁ କ୍ରମାଗତ ଚଢ଼ାଉ ଜାରି ରହିଛି । ଶୁକ୍ରବାର ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ନାଥ ପଣ୍ଡା, ବାହାଡ଼ାଝୋଲା ସେକ୍ସନ ବନପାଳ ସରିତା ବରାଳ, ବନରକ୍ଷୀ ଓ ବନ ସୁରକ୍ଷା ସ୍କ୍ବାଡ୍‌ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ଥାନା ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମର ଅଶୋକ ସେନାପତିଙ୍କ ଏକ ବନ୍ଦ ଘରୁ ବିପୁଳ ପରିମାଣର ସାଇଜ୍‌ ଶାଳ, ଶାଗୁଆନ ପଟା ଜବତ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ସେନାପତି ଦୀର୍ଘଦିନ ଧରି ଏହି ଘରେ ରହୁ ନ ଥିବାବେଳେ ମୂଲ୍ୟବାନ କାଠ ମହଜୁଦ ଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଥିଲା । ତେବେ ଚଢ଼ାଉବେଳେ ଘର ମାଲିକ ଅଶୋକ ଗାଁରେ ଅନୁପସ୍ଥିତ ଥିବାରୁ ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା। ମାପ, ଓଜନ କରାଯିବା ପରେ ପଟା, ସାଇଜ୍‌ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନପାଳ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତପୂର୍ବକ ଘର ମାଲିକଙ୍କ ନାମରେ କେସ୍‌ ରୁଜୁ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ପଣ୍ଡା ଓ ବନପାଳ ବରାଳ ସୂଚନା ଦେଇଛନ୍ତି । ବନରକ୍ଷୀ ଶୁଭେନ୍ଦୁ ପ୍ରସାଦ ନାୟକ, ଧରଣୀଧର ନାୟକ ଏବଂ ବନ ସୁରକ୍ଷା ବଳର ସଦସ୍ୟମାନେ ଚଢ଼ାଉରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ, ବାରମ୍ବାର ଚଢ଼ାଉ ଫଳରେ ୨ ସପ୍ତାହ ମଧ୍ୟରେ ବନ ବିଭାଗ ପକ୍ଷରୁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଶାଳ ଓ ଶାଗୁଆନ ପଟା ଜବତ କରାଯାଇଛି । ତେବେ ବିଭିନ୍ନ ଗ୍ରାମରୁ ଜବତ ହୋଇଥିବା ବିପୁଳ ପରିମାଣର ଏହି ମୂଲ୍ୟବାନ ସାଇଜ୍‌ କାଠ ଓ ପଟା କେତେଜଣ ବିଭାଗୀୟ କର୍ମଚାରୀଙ୍କ ସଲାସୁତରାରେ ଟିମ୍ବର ଡିପୋକୁ ବେଆଇନ ଭାବେ ଯୋଗାଣ ହେଉଥିବା ଅଭିଯୋଗ ହେଉଛି।