ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଅବାଧ ଶିକାର

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଜଙ୍ଗଲ କ୍ଷୟ ହେତୁ ବନ୍ୟପ୍ରାଣୀମାନେ ଖାଦ୍ୟ ଅନ୍ବେଷଣରେ ଏବେ ସହରମୁହଁ। ଫଳରେ ସେମାନେ ମଣିଷର ଆକ୍ରୋଶର ଶିକାର ହେଉଛନ୍ତି। ଏହାର ଫଳସ୍ବରୂପ ପୃଥିବୀପୃଷ୍ଠରେ କ୍ରମଶଃ ବନ୍ୟଜନ୍ତୁଙ୍କ ସଂଖ୍ୟା ଲୋପପାଇବାକୁ ବସିଲାଣି। କେତେକ ବନ୍ୟପ୍ରାଣୀ ଆଜି ଇତିହାସ ମଧ୍ୟ ପାଲଟିଗଲେଣି। ଏଣୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୪ ତାରିଖରେ ପାଳିତ ହେଉଛି ଜାତୀୟ ବନ୍ୟପ୍ରାଣୀ ଦିବସ। ଏହି ଦିବସ ପାଳନ ଅବସରରେ ଲୋକଙ୍କୁ ବନ୍ୟଜନ୍ତୁଙ୍କ ଶିକାର ନ କରି ସେମାନଙ୍କ ସୁରକ୍ଷା ଦିଗରେ ଦୃଷ୍ଟି ଦେବା ପାଇଁ ପ୍ରବର୍ତ୍ତା ଯାଇଥାଏ। ବନ୍ୟପ୍ରାଣୀ ବିଶେଷଜ୍ଞ କୋଲିନ୍‌ ପାଇଜ୍‌ ୨୦୦୫ ମସିହାରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ ଆରମ୍ଭ କରିଥିଲେ।
ସରକାରୀ ରେକର୍ଡ଼ରେ ଯେତିକି ଜଙ୍ଗଲ ଅଛି ବୋଲି ଦର୍ଶାଯାଉଛି, ସାଟେଲାଇଟ ସର୍ଭେରେ ୬% କମ୍‌ ଥିବା ଜଣାପଡ଼ିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ରାଜ୍ୟରେ ବନ୍ୟପ୍ରାଣୀ ଏବେ ଏକରକମ ସଂକଟରେ। ବନ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ୧୪ ବର୍ଗ କିମି ଲୁଣା ଜଙ୍ଗଲ ସହ ୪୮୩ ବର୍ଗକିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି। ରାଜ୍ୟରେ ଥିବା ୫୮,୧୩୫ ବର୍ଗ କିମି ଜଙ୍ଗଲରୁ ୮୯.୪୫ ବର୍ଗ କିମିର ଖଣି, ଶିଳ୍ପ ପ୍ରତିଷ୍ଠା ଓ ରେଳଲାଇନ୍‌ ନିର୍ମାଣ ପାଇଁ କିସମ ବଦଳିଛି। ପ୍ରାୟ ୭୫୦୦ ଏକର ଜଙ୍ଗଲ ଜମିରେ ଖଣି ଖନନ ହେଉଛି। କାଠ ମାଫିଆମାନେ ଅଭିନବ ଢଙ୍ଗରେ ବନସମ୍ପଦ ଲୁଟି ଚାଲିଥିଲା ବେଳେ ଶିକାରୀମାନେ ମଧ୍ୟ ବିନା ଦ୍ୱିଧାରେ ବନ୍ୟପ୍ରାଣୀ ଶିକାର କରି ଚାଲିଛନ୍ତି। ବାଘ ଶିକାର କରି ମାଫିଆମାନେ ଅନ୍ତର୍ଜାତୀୟ ବଜାରକୁ ଚମଡ଼ା ଚାଲାଣ କରୁଛନ୍ତି। ବନ୍ଧୁକ, ଫାଶ ଓ ଜାଲ ଦ୍ୱାରା ଅବାଧ ପଶୁ ଶିକାରକୁ ବନ୍ୟଜୀବ ସୁରକ୍ଷା ଆଇନ ୧୯୭୨ରେ ବେଆଇନ ଘୋଷଣା କରାଯାଇଛି। ମାତ୍ର ଏହାର ବିଶେଷ ପ୍ରଭାବ ଅନୁଭୂତ ହୋଇନାହିଁ। ଶୀତଦିନେ ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀ ଶିକାର ବଢ଼ି ଚାଲିଛି। ପକ୍ଷୀ ଶିକାର ରୋକିବାକୁ ସରକାରୀ ପଦକ୍ଷେପ ସମୁଦ୍ରକୁ ଶଙ୍ଖେ। ସେହିଭଳି ଓଡ଼ିଶା ଉପକୂଳକୁ ଅଣ୍ଡା ଦେବାକୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଅଲିଭ୍‌ ରିଡ୍‌ଲେ କଇଁଛ ଗିଲନେଟ୍‌ ଜାଲରେ ଛନ୍ଦି ହୋଇ କିମ୍ବା ଟ୍ରଲର ମାଡ଼ରେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ରାଜ୍ୟ ବନ୍ୟପ୍ରାଣୀ ସଂଗଠନ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୨୬୨ ହାତୀ, ୧୩୨ ହରିଣ, ୪୩ ଭାଲୁ ଓ ୧୮ କୁମ୍ଭୀର ମୃତ୍ୟୁବରଣ କରିଛନ୍ତି। ଅଧିକାଂଶ ଶିକାରୀଙ୍କ ଦ୍ୱାରା ପ୍ରାଣ ହରାଇଛନ୍ତି। ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩୧ ଜଣଙ୍କୁ ନାମକୁ ମାତ୍ର ଗିରଫ କରାଯାଇଛି। ଦ୍ରୁତ ଶିଳ୍ପାୟନ ପରେ ରାଜ୍ୟରେ ଜଙ୍ଗଲ ସମ୍ପଦର ସୁରକ୍ଷା ନେଇ ସରକାରଙ୍କୁ ଏବେ ଚିନ୍ତା ଘାରିଛି। ଅଧିକ ଜଙ୍ଗଲ ସୃଷ୍ଟି ପାଇଁ ଏକ ୫ ବର୍ଷିଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କାମ୍ପାରେ ରାଜ୍ୟ ସରକାର ୨୬୫ କୋଟି ଟଙ୍କା ବ୍ୟୟ କରିବେ। ପ୍ରାକୃତିକ ଜଙ୍ଗଲର ସଂରକ୍ଷଣ, ପୁନରୁଦ୍ଧାର, ପରିଚାଳନା ଓ ଭିତ୍ତିଭୂମି ଦୃଢ଼ୀକରଣ ସହ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାମ୍ପା ବାର୍ଷିକ ଖସଡ଼ାରେ ଯୋଜନା ସାମିଲ ହୋଇଛି। ରାଜ୍ୟର ୧୮ଟି ଘଞ୍ଚ ଜଙ୍ଗଲରେ ଜଙ୍ଗଲ ସୁରକ୍ଷା ବାହିନୀ ନିୟୋଜିତ ଥିବାବେଳେ ପୁଣି ୧୪ଟି ଅଧିକ ଜଙ୍ଗଲକୁ ଏହାକୁ ସମ୍ପ୍ରସାରିତ କରାଯିବ। ୧୦ଲକ୍ଷ ହେକ୍ଟର ଉଜୁଡ଼ା ଜଙ୍ଗଲରେ ନୂଆ ଜଙ୍ଗଲ ସୃଷ୍ଟି କରାଯିବାକୁ ସ୍ଥିର ହୋଇଛି। ଘରୋଇ ସଂସ୍ଥା ସହଯୋଗରେ ୧୫ କୋଟି ଗଛ ଲଗାଇବା ସହ ୫ ହଜାର ହେକ୍ଟର ଜମିରେ ବାଉଁଶ ଗଛ ଲଗାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଛି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ୨ଟି ବ୍ୟାଘ୍ର ଅଭୟାରଣ୍ୟ ସହ ୧୮ଟି ଅଭୟାରଣ୍ୟର ସୁରକ୍ଷା, ଅଭୟାରଣ୍ୟ ମଧ୍ୟରେ ୪୨୫ଟି ନୂଆ ଜଳାଶୟ ସୃଷ୍ଟି ସହ ଶିକାର ରୋକିବାକୁ ୧୨୦ ସ୍ବତନ୍ତ୍ର ସ୍କାଡ୍‌ ଗଠନ କରାଯିବ। ଓଡ଼ିଶା ରାଜ୍ୟ ବନ ଏକାଡ଼େମୀ ଗଠନ ସହ କୋଷ୍ଟାଲ ଇକୋ ସିଷ୍ଟମ ମ୍ୟାନେଜମେଣ୍ଟ ବ୍ୟବସ୍ଥା ପ୍ରଚଳିତ ହେବ। ତେବେ ସରକାର ତୁରନ୍ତ ବିପର୍ଯ୍ୟସ୍ତ ପରିବେଶକୁ ସଜାଡ଼ିବାକୁ ପରିବେଶବିତ୍‌ମାନେ ପରାମର୍ଶ ଦେଇଛନ୍ତି। ଜାତୀୟ ବନ୍ୟପ୍ରାଣୀ ଦିବସ ଅବସରରେ ଆସନ୍ତୁ ଆମେ ସମସ୍ତେ ଏହି ଜୀବଜଗତ ପ୍ରତି ଆମ୍ଭମାନଙ୍କର ସହୃଦୟତା ଓ ଭଲପାଇବାକୁ ବଢ଼ାଇବା ନିମିତ୍ତ ଉଦ୍ୟମ କରିବା।
କଟିକଟା, ମଙ୍ଗଳପୁର, ଯାଜପୁର
ମୋ : ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri