ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ୍‌

ଜଳେଶ୍ୱର, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଏକତାଳି ନିକଟରେ ଗୁରୁବାର ଅପରାହ୍ନରେ ଦୃର୍ବୃତ୍ତମାନେ ୬ଜଣ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୯ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏକ ବୋଲେରୋ(ନଂ.ଓଡ଼ି-୦୪କେ-୧୩୧୯)ରେ ୬ଜଣ ବ୍ୟବସାୟୀ କଲିକତାରୁ ଚଣ୍ଡିଖୋଲ ଯାଉଥିଲେ। ପଶ୍ଚିମବଙ୍ଗରୁ ଏକ ସ୍କର୍ପିଓ ସେମାନଙ୍କ ପିଛା କରିଥିଲା। ଜଳେଶ୍ୱର ନିକଟସ୍ଥ ଏକତାଳି ଗ୍ରାମ ନିକଟରେ ରାସ୍ତା ଫାଙ୍କା ଥିବାରୁ ସ୍କର୍ପିଓ ଓଭରଟେକ କରି ବୋଲେରୋ ଆଗକୁ ଚାଲିଆସି ଅଟକାଇଥିଲା। ଗାଡ଼ି ଭିତରୁ ୬ଜଣ ଯୁବକ ବାହାରି ଆସି ଏକ ରାଉଣ୍ଡ ଗୁଳି ଚଳାଇବା ସହ ବ୍ୟବସାୟୀମାନଙ୍କ ଗାଡିର କାଚ ଭଙ୍ଗାରୁଜା କରିଥିଲେ। ଏହାସହ ସେମାନେ ଧମକ ଦେଇ ସମସ୍ତଙ୍କୁ ଗାଡିରୁ ଓହ୍ଲାଇ ମାରପିଟ୍‌ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କ ପାଖରୁ ୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛଡାଇନେଇ ପଳାଇଯାଇଥିଲେ। ଜଳେଶ୍ୱର ପୋଲିସ ପହଞ୍ଚି ଆହତ ବ୍ୟବସାୟୀମାନଙ୍କୁ ଚିକିତ୍ସା ପାଇଁ ପଠାଇଛି। ବ୍ୟବସାୟୀମାନଙ୍କ ମଧ୍ୟରେ ଚଣ୍ଡିଖୋଲର ସୁନୁ ଖାନ୍‌, ସେକ ବକ୍ସାର ରହମାନ ଓ ଅନ୍ୟ ୪ ଜଣ ଥିଲେ।