Categories: ଗଞ୍ଜାମ

ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ୍‌

ବେଗୁନିଆପଡ଼ା, ୧୩ା୮ (ଡି.ଏନ.ଏ.) -ପୁଣି ବନ୍ଧୁକ ଦେଖାଇ ଲୁଟ। ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସୋମବାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ବେଗୁନିଆପଡ଼ା ଫାଣ୍ଡି ତିରିଡା ରାସ୍ତାରେ। ଅପରାହ୍ନ ପ୍ରାୟ ୧ଟା ୪୦ରେ ଖଲ୍ଲିକୋଟ ଥାନା ମଥୁରାଠାରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ୨ କର୍ମଚାରୀ ବିଭୂତି ସାହୁ ଓ ଶୁଭଶ୍ରୀ ନାୟକ ଅଲଗା ଅଲଗା ବାଇକ ଓ ସ୍କୁଟିରେ ମଥୁରା ଶାଖା ଅଫିସ ବନ୍ଦ କରି ବେଗୁନିଆପଡ଼ା ଫାଣ୍ଡି ନିକଟସ୍ଥ ନୂତନ ଭାବେ ଖୋଲା ଯାଇଥିବା ଶାଖାକୁ ଆସୁଥିଲେ। ତିରିଡା ନିକଟସ୍ଥ ରାସ୍ତାରେ ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବିଭୂତି ଓ ଶୁଭଶ୍ରୀଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ବିଭୂତି ସାହୁଙ୍କ ଠାରୁ ୨୫୦୦୦ ଟଙ୍କା ସହ ଗାଡିଚାବି ନେବାସହ ଉଭୟଙ୍କଠାରୁ ମୋବାଇଲ ଛଡ଼ାଇ ଖଲ୍ଲିକୋଟ ଦିଗରେ ପଳାଇଥିଲେ। ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ନେଇ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଥିବା ବ୍ୟାଙ୍କ ମ୍ୟାନେଜର ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି।