ବନ୍ଧା ବସ୍ତାରୁ ଗୁରୁତର ମହିଳା ଉଦ୍ଧାର

ଗୁଡାରୀ,୧୬।୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡାରୀ ବ୍ଲକ୍‌ ସାନହୁମା ପଞ୍ଚାୟତର କିନିଡ଼ି ଗ୍ରାମ ନିକଟ କପାବାଡ଼ରୁ ବନ୍ଧା ହୋଇଥିବା ବସ୍ତାରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର ଉଦ୍ଧାର କରାଯାଇଛି। ସେ ହେଲେ କିନିଡ଼ି ଗ୍ରାମର ମାୟାଦେବୀ ପାଣିଗ୍ରାହୀ(୫୧)। କୌଣସି ବ୍ୟକ୍ତିଙ୍କ ଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ମହିଳାଙ୍କୁ କପାବାଡ଼ରୁ ଉଦ୍ଧାର କରି ଗୁଡାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରୁ ଗୁଣପୁର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏ ବିଷୟରେ ମାୟାଦେବୀଙ୍କ ମା’ ଗଙ୍ଗଦେବୀ ପାଣିଗ୍ରାହୀ ଗୁଡାରୀ ଥାନାରେ ଏତଲା ଦେଇଛନ୍ତି। ୮୫/୨୨ରେ ଏକ ମାମଲା ରୁଜୁ ହୋଇଛି। ତେବେ ମହିଳାଙ୍କୁ ବସ୍ତାରେ ଭର୍ତ୍ତି କରି କିଏ କପାବାଡ଼ରେ ଫୋପାଡ଼ିଲେ ତାହାର ତଦନ୍ତ ଚାଲିଥିବା ଗୁଡାରୀ ଥାନା ଅଧିକାରୀ ଦୀନବନ୍ଧୁ ଶବର କହିଛନ୍ତି।