ବନ୍ଦ ହେଲା ନିକୋ ପାର୍କ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଆତଙ୍କ ପାଇଁ ବିଡିଏ ସିଟି ସେଣ୍ଟର (ନିକୋ ପାର୍କ)କୁ ବନ୍ଦ କରାଯାଇଛି। ମଙ୍ଗଳବାରଠାରୁ ପାର୍କକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ବୋଲି ବିଡିଏ ସୂତ୍ରରୁ ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ପୂର୍ବରୁ ରାଜଧାନୀର ଅନ୍ୟ ପାର୍କଗୁଡ଼ିକୁ ସକାଳ ୬ ଟାରୁ ଖୋଲି ଅପରାହ୍ନ ୨ଟାରେ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପାର୍କକୁ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରରେ କରୋନା ସଚେତନ ବାର୍ତ୍ତା ପ୍ରଦର୍ଶନ କରାଯିବ। ପାର୍କରେ ଥିବା ବ୍ୟାୟାମ ଉପକରଣ ଏବଂ ପିଲାଙ୍କ ପାଇଁ ଥିତ୍ବା ଖେଳନାଗୁଡ଼ିକର ଉପଯୋଗ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ବିଡିଏ ସିଟି ସେଣ୍ଟରକୁ ପ୍ରତିଦିନ ଅଧିକ ସଂଖ୍ୟକ ଛୋଟ ପିଲାମାନେ ବୁଲିବାକୁ ଆସୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।