ବନ୍ଦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ସତର୍କ ରହିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଜନବିରୋଧୀ ତଥା ରାଷ୍ଟ୍ରଦ୍ରୋହୀ ନୀତିର ପ୍ରତିବାଦ କରିବା ସହ ୧୨ ଦଫା ଦାବି ନେଇ ୧୦ ଟ୍ରେଡ୍‌ ୟୁନିୟନ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ବନ୍ଦକୁ ସମର୍ଥନ କରିଛି କଂଗ୍ରେସ ଓ ଅନ୍ୟ କେତେକ ସଂଗଠନ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, କେନ୍ଦ୍ରାପଡା, ପାରାଦୀପ, କୋରାପୁଟ, ବାଲେଶ୍ୱର ଓ ଜଗତସିଂହପୁର ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢାଇ ଦିଆଯାଇଛି। ବନ୍ଦ ସମୟରେ ଯେପରି କୌଣସି ସ୍ଥାନରେ ହିଂସା ନ ଘଟେ ସେଥିପ୍ରତି ସତର୍କ ରଖିବାକୁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଲ’ ଆଣ୍ଡ୍‌ ଅର୍ଡର ଦାୟିତ୍ୱରେ ଥିବା ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲାପାଳ ଓ ଜିଲା ମାଜିଷ୍ଟ୍ରେଟ୍‌ଙ୍କୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ଓ ଟ୍ରେଡ୍‌ ୟୁନିଅନ ପକ୍ଷରୁ କୁହାଯାଇଛି ଯେ, ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ରହିବ। କୌଣସି ପ୍ରକାର ହିଂସା ନ ଘଟାଇବା ପାଇଁ ସମସ୍ତ କର୍ମୀଙ୍କୁ କୁହାଯାଇଛି। ଏଥିରେ ସହଯୋଗ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।