ବନ୍ଦ ଘରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର, ବିଷମିଶା କ୍ଷୀର ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

ସୁନ୍ଦରଗଡ଼,୧୧।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀର ଏକ କ୍ୱାର୍ଟର୍ସରୁ ଶନିବାର ଗୋଟିଏ ପରିବାରର ୪ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ଏବଂ ଦୁଇ ପୁଅ ଝିଅ। ରାଜଗାଙ୍ଗପୁର ଏସ୍‌ଡିପିଓ ବିଜୟ କୁମାର ନନ୍ଦ, ଆଇଆଇସି ଗୋକୁଳାନନ୍ଦ ସାହୁ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତଦେହ ନିକଟରେ ଅଧା ଭର୍ତ୍ତି କ୍ଷୀର ଥିବା ପାତ୍ର ମିଳଛି। ଏଣୁ ବିଷମିଶା କ୍ଷୀର ପିଇ ପରିବାର ସଦସ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଡିପିଓ କହିଛନ୍ତି।

ସୂଚନାନୁଯାୟୀ, ଶନିବାର ସକାଳେ ଘର ଭିତରୁ ପଚାଗନ୍ଧ ଆସୁଥିବା ନେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗି ଗଳିତ ମୃତଦେହଗୁଡ଼ିକର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗତ ଗୁରୁବାରଠାରୁ ତାଙ୍କ ଘର ଭିତର ପଟୁ ତାଲା ପଡ଼ିଥିବା ପଡ଼ୋଶୀ କହିଛନ୍ତି। ଅପରପକ୍ଷେ ରଞ୍ଜିତ ଏକ ଘରୋଇ କମ୍ପାନୀରେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ସେ କଳ୍ପନାଙ୍କୁ ପ୍ରେମ ବିବାହ କରିଥିଲେ। ଉକ୍ତ କଲୋନୀରେ ପୁଅଝିଅଙ୍କ ସହ ରହି ଆସୁଥିଲେ। ଏପରିସ୍ଥଳେ ସେମାନଙ୍କର ଏଭଳି ଆତ୍ମହତ୍ୟା ପଛରେ କ’ଣ କାରଣ ରହିଛି ପୋଲିସ ସେ ନେଇ ତଦନ୍ତ କରୁଛି।