ବନ୍ଦ କୋଠରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର: ଶିଶୁପୁତ୍ରଙ୍କୁ ନେଇ ସ୍ବାମୀ ଫେରାର

ସମ୍ବଲପୁର, ୧୫।୧୧(ବ୍ୟୁରୋ)- ସମ୍ବଲପୁର ଜିଲା ମୁଦିପଡ଼ା ଘୁଷୁଣୀଯୋଡା ବନ୍ଧ ହିଡରେ ଥିବା ବସ୍ତିର ଏକ ଭଡ଼ାଘରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ପରିଚୟ ମିଳି ନ ଥିବା ବେଳେ ପ୍ରାୟ ୨୦ ଦିନ ପୂର୍ବେ ମହିଳାଙ୍କ ସ୍ବାମୀ ଏବଂ ଶିଶୁପୁତ୍ର ସହ ଭଡ଼ାରେ ରହୁଥିବା ଜଣାପଡ଼ିଛି। ଏଣୁ ମହିଳାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି।

ସୂଚନାନୁଯାୟୀ, ଉକ୍ତ ଘରୁ ଦୁର୍ଗନ୍ଧ ବାହାରୁଥିବା ଯୋଗୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ। ମହିଳାଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ବେଳେ ମୁଣ୍ଡର ପଛପଟେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଏପରିକି ତାଙ୍କ ବେକରେ କପଡ଼ା ଘୋଡ଼ା ହୋଇଥିଲା। ପ୍ରାୟ ୩ ରୁ ୪ ଦିନ ହେବ ତାଙ୍କୁ ହତ୍ୟା କରାଯାଇଥିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରୁଥିବା ପୋଲିସ କହୁଛି। ଘଟଣାସ୍ଥଳରୁ ସ୍ବାମୀ ଏବଂ ଶିଶୁପୁତ୍ର ଫେରାର ଅଛନ୍ତି। ଅପରପକ୍ଷେ ସେମାନଙ୍କ ଘରମାଲିକ ବାହାଲପଡ଼ାର ପଦ୍ମା ନାୟକ ଏ ବିଷୟରେ କିଛି ଜାଣି ନ ଥିବା କହିଛନ୍ତି। ଏହି ଦମ୍ପତ୍ତି ଗରିବ ଲୋକ ହୋଇଥିବାରୁ ଘର ଖଣ୍ଡେ ଦିଅ ବୋଲି ଅନୁରୋଧ କରିଥିଲେ। ଏଣୁ ସେ ୧୨ଶହ ଟଙ୍କା ଭଡ଼ା ସୂତ୍ରରେ ଘରଟି ଦେଇଥିଲେ ବୋଲି ପଦ୍ମା କହିଛନ୍ତି। ତେବେ ପ୍ରାୟ ସମୟରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବଚସା ହେଉଥିବା ନେଇ ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।