Categories: ବାଣିଜ୍ୟ

ବନ୍ଦେ ଭାରତରେ ନିଯୁକ୍ତ ହେଲେ ଟ୍ରେନ ହୋଷ୍ଟେସ

ନୂଆଦିଲ୍ଲୀ,୬-୮: ଦିଲ୍ଲୀରୁ ବାରାଣସୀକୁ ଚାଲୁଥିବା ସେମି ହାଇସ୍ପିଡ୍‌ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସରେ ଏଣିକି ଏୟାର ହୋଷ୍ଟେସ୍‌ଙ୍କ ଭଳି ଟ୍ରେନ ହୋଷ୍ଟେସ ଯାତ୍ରୀଙ୍କୁ ସେବା ଯୋଗାଇବେ। ଏହି ପାଇଲଟ ପ୍ରକଳ୍ପ ପାଇଁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେଶନ(ଆଇଆର୍‌ସିଟିସି)କୁ ଦାୟିତ୍ୱ ଦିଆଯାଇଛି। ଇତିମଧ୍ୟରେ ୩୪ ଜଣ ପ୍ରଶିକ୍ଷିତ ଟ୍ରେନ ହୋଷ୍ଟେସ ଓ ଫ୍ଲାଇଟ୍‌ ଷ୍ଟିଓ୍ବାର୍ଡଙ୍କୁ ଦିଲ୍ଲୀ-ବାରାଣସୀ ବନ୍ଦେ ଭାରତ ଏକ୍ସପ୍ରେସରେ ନିଯୁକ୍ତି ଦିଆସରିଛି ବୋଲି ମିଡିଆ ରିପୋର୍ଟରୁ ପ୍ରକାଶ। ଆଇଆର୍‌ସିଟିସି ମୁଖପାତ୍ରଙ୍କ କହିବାନୁଯାୟୀ, ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀଙ୍କୁ ପ୍ରିମିୟମ ସେବା ଯୋଗାଇ ଦେବା ଲାଗି ପ୍ରୟାସ କରାଯାଉଛି। ସାଧାରଣତଃ ଲାଇସେନ୍ସ ପାଇଥିବା କ୍ୟାଟେରର୍‌ଙ୍କ ମାଧ୍ୟମରେ ଟ୍ରେନରେ ଖାଦ୍ୟପଦାର୍ଥ ଯୋଗାଉଥିବା ବ୍ୟକ୍ତିଙ୍କୁ ମାସିକ ୮ରୁ ୧୦ ହଜାର ଟଙ୍କା ପାରିଶ୍ରମିକ ମିଳିଥାଏ। କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସରେ ନିଯୁକ୍ତ ଟ୍ରେନ ହୋଷ୍ଟେସଙ୍କୁ ମାସିକ ୨୫ ହଜାର ଟଙ୍କା ଦରମା ମିଳିବ। ଆସନ୍ତା ୬ ମାସ ପାଇଁ ଟ୍ରାୟାଲ ସେବା ଆରମ୍ଭ କରାଯାଇଛି। ଏହା ସଫଳ ହେଲେ ଏହାକୁ ଅନ୍ୟ ଏକ୍ସପ୍ରେସ୍‌ରେ ସମ୍ପ୍ରସାରଣ କରାଯିବ। ସୂଚନାଥାଉ କି, ଟ୍ରେନ ୧୮ର ନାମକୁ ପରିବର୍ତ୍ତନ କରାଯାଇ ବନ୍ଦେ ଭାରତ ଏକ୍ସପ୍ରେସ ରଖାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ପ୍ରଥମ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନରେ ବିମାନ ଭଳି ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି। ଦିଲ୍ଲୀରୁ ବାରାଣସୀ ଏହା ମାତ୍ର ୮ ଘଣ୍ଟା ସମୟ ଲାଗିଥାଏ।

Share