‘ବନ୍ଦେ ଉତ୍କଳ ଜନନୀ: ଅତୀତ ଓ ବର୍ତ୍ତମାନ’ ପୁସ୍ତକ ପ୍ରକାଶିତ

ଭୁବନେଶ୍ୱର,୨୪।୭: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’କୁ ନେଇ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ ପାଇଛି। ଯୁବ ଗବେଷକ ତଥା କର୍ନାଟକ ମୈସୂରୁସ୍ଥିତ କେନ୍ଦ୍ରୀୟ ଭାରତୀୟ ଭାଷା ସଂସ୍ଥାନରେ କାର୍ଯ୍ୟରତ ଡକ୍ଟର ସନ୍ତୋଷ କୁମାର ମହାନ୍ତି ଏହି ବହିଟିକୁ ଲେଖିଛନ୍ତି। ବିଶିଷ୍ଟ ଲେଖକ ତଥା ଧଉଳି ବୁକ୍ସର ପ୍ରକାଶକ ମନୁ ଦାଶ ଏହାର ପ୍ରକାଶକ ଅଛନ୍ତି। ପ୍ରକାଶ ଯେ, ୧୯୧୩ରେ ପୁରୀରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ‘ବନ୍ଦେ ଜନନୀ’ ଶୀର୍ଷକରେ ଏହି କବିତାଟି ପ୍ରଥମେ ଗାନ କରାଯାଇଥିଲା। ୨୦୨୦ ଜୁନ୍‌ ୭ ତାରିଖରେ ଓଡ଼ିଶା ସରକାର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିବା ବେଳେ ଚଳିତ ବର୍ଷ ଜୁନ୍‌ ୨୩ରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହାକୁ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରକାଶିତ ଏହି ବହିରେ ମୋଟ୍‌ ୨୫ଟି ଅଧ୍ୟାୟରେ ରାଜ୍ୟ ସଙ୍ଗୀତ ସମ୍ପର୍କିତ ପ୍ରାୟ ସମସ୍ତ ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାଜ୍ୟ ସଙ୍ଗୀତ ସମ୍ପର୍କରେ ଅନେକ ତଥ୍ୟ, ସରକାରୀ ବିବରଣୀ, ଉତ୍କଳ ସମ୍ମିଳନୀ ବିବରଣୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଦେଶ, ବିଭିନ୍ନ ଚିଠିପତ୍ର, ପୁରୁଣା ବହି, ପତ୍ରପତ୍ରିକା, ପୁରାତନ ଖବରକାଗଜ ‘ଉତ୍କଳ ଦୀପିକା’, ‘ସମ୍ବଲପୁର ହିତୈଷିଣୀ’ରୁ ପୁସ୍ତକ ପ୍ରସ୍ତୁତି ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇଛି। ଏଥିସହିତ ଦେଶର ୧୦ଟି ରାଜ୍ୟ ସଂଗୀତ ଓଡ଼ିଆ ଲିପିରେ ପ୍ରସ୍ତୁତ ହୋଇଛି। ଏହି ପୁସ୍ତକରେ ୧୧୧ଟି ଫଟୋ ବା ପ୍ରତିଲିପି ସ୍ଥାନ ପାଇଛି।