ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା

ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି। ତାଙ୍କୁ ସେକ୍ଟର ୨୧ରେ ଥିବା ଜବାହର ଅତିଥି ଭବନରେ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନ୍ଧ ସ୍ବାଗତ କରିଥିଲେ। ପରେ ସେ ବନ୍ଦର ନିଷିଦ୍ଧାଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସାରେ ବନ୍ଦର ପ୍ରଶାସନିକ ଭବନର ବୋର୍ଡରୁମରେ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ବନ୍ଦର ବ୍ୟବହାରକାରୀ ସଂସ୍ଥା ଓ ଅନ୍ୟ ମାନଙ୍କ ସହ ଆଲୋଚନା ହୋଇଥିଲା। ଏହି ଗସ୍ତ ବେଳେ ସେ ପାରାଦୀପ ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ, କଟକ ପାରାଦୀପ ରାଜ୍ୟ ରାଜପଥ ପ୍ରଶସ୍ତିକରଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ରେଳପଥ ସମ୍ପ୍ରସାରଣ, ଧାନମଣ୍ଡଳ-ଚଣ୍ଡିଖୋଲ ରେଳପଥକୁ ବିକଳ୍ପ ଭାବେ ବ୍ୟବହାର କରିବା ଉପରେ ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ନଦୀଭିତ୍ତିକ ବନ୍ଦର କାମ ଉପରେ କ’ଣ ଅଗ୍ରଗତି ହୋଇଛି ତା’ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତିଶକ୍ତି ଯୋଜନା ଅଧୀନ ଭାରତୀୟ ଜଳପଥ ପ୍ରାଧୀକରଣ କାମ ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ମଙ୍ଗଳବାର ଭୁବନେଶ୍ୱରଠାରେ ବହୁମୁଖୀ ଗତିଶକ୍ତି ପ୍ରକଳ୍ପ ଉପରେ କର୍ମଶାଳା କରାଯିବ ବୋଲି ସୂଚନା ମିଳିଛି।