ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.)

ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଗତ ୩ରୁ ୪ ଦିନ ହେଲା ୧୦ରୁ ଅଧିକ କ୍ୟାମ୍ପ ହୋଇଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେଠାରେ ସମସ୍ତ ପ୍ରକାର ରାଶନ, ରୋଷେଇ ସାମଗ୍ରୀ ସହ ପାଣି, ଚାଉଳ ଆଦି ଗଚ୍ଛିତ ରଖାଯାଇଛି। କ୍ୟାମ୍ପ ସ୍ଥାନକୁ ପରିଷ୍କାର ସହ ବାଉଁଶରେ ଘର କରାଯାଇ ନୂଆ ଜରିପାଲ ଘୋଡ଼ାଯାଇଛି। କୌଣସି ସୂତ୍ରରୁ ଖବରପାଇ ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁଙ୍କ ସମେତ ଫୋର୍ସ ଓ ବନ ବିଭାଗ କର୍ମଚାରୀମାନେ ଶୁକ୍ରବାର ଅପରାହ୍ନରେ ଘଟଣାସ୍ଥଳକୁ ଯାଉଥିଲେ ହେଁ କିଛି ଦୂରରୁ ପଳାଇ ଆସିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପ୍ରାୟ ୨୦ରୁ ୩୦ ଜଣ ସନ୍ଦିଗ୍ଧ ସେଠାରେ ରହୁଛନ୍ତି। ଦିନବେଳା କେଉଁଆଡ଼େ ପଳାଉଥିବା ବେଳେ ରାତିରେ କ୍ୟାମ୍ପକୁ ଫେରୁଛନ୍ତି। ଅତୀତରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ମାଓବାଦୀଙ୍କ ଚଳପ୍ରଚଳର ପ୍ରମାଣ ମିଳିଥିବାରୁ ସନ୍ଦିଗ୍ଧମାନଙ୍କ ଏପରି କ୍ୟାମ୍ପକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଉକ୍ତ ସ୍ଥାନରୁ ୫ କିଲୋମିଟର ଦୂରରେ ବାରଗୌଣିଆ, ଭୁବନପୁର, ନୂଆ ରାଇଗୁଡ଼ା ଓ ତଳଗଡ଼ ଗ୍ରାମ ରହିଛି। ଅନ୍ୟପଟ ପାହାଡ଼ ପାର୍ଶ୍ୱରେ ସାତକୋଶିଆ ଅଭୟାରଣ୍ୟ ଓ ରାଇଗୁଡ଼ା ଜଙ୍ଗଲ ହୋଇଥିବାରୁ ସନ୍ଦିଗ୍ଧମାନେ ହାତୀ କିମ୍ବା ଅନ୍ୟ ବନ୍ୟଜନ୍ତୁ ଶିକାରୀ ହୋଇଥିବା ସନ୍ଦେହ କରାଯାଉଛି। ତୁରନ୍ତ ଏ ନେଇ ତଦନ୍ତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବନ୍ତଳା ଥାନା ଆଇଆଇସି ଗୀତାଞ୍ଜଳି ସାହୁ କୁହିଛନ୍ତି, ଖବର ପାଇଛୁ। ଘଟଣାର ତଦନ୍ତ ଚାଲିଛି।