ବଦଳିଲା ଆଇନଜୀବୀଙ୍କ ଡ୍ରେସ୍‌କୋଡ୍‌: କଳାକୋଟ୍‌, ଗାଉନ୍‌ ମନା

କଟକ ଅଫିସ୍‌,୧୫। ୫: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଛି। ଏହି କ୍ରମରେ ରାଜ୍ୟରେ ଆଇନ୍‌ଜୀବୀଙ୍କ ଡ୍ରେସ୍‌କୋଡ଼୍‌ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୁରୁବାର ଏ ନେଇ ବିଧିବଦ୍ଧ ଭାବେ ସର୍କୁଲାର୍‌ ଜାରି କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, କରୋନା ପ୍ରଭାବ ଯୋଗୁ ହାଇକୋର୍ଟରେ ବର୍ତ୍ତମାନ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍‌ (ଭିଡିିଓ କନ୍‌ଫରେନ୍ସ)ରେ ଚାଲିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବର୍ତ୍ତମାନ ଆଇନ୍‌ଜୀବୀମାନେ ଡ୍ରେସ୍‌କୋଡ୍‌ ଯଥା କଳାକୋଟ୍‌ ଓ ଗାଉନ୍‌ ପିନ୍ଧିବା ଆବଶ୍ୟକ ନୁହେଁ। ସେମାନେ ଶୁଣାଣି ବେଳେ ଧଳା ସାର୍ଟ, ଧଳା ଶାଲୱେର୍‌ କମିଜ୍‌, ଧଳା ଶାଢ଼ି ସହ ଧଳା ନେକ୍‌ବ୍ୟାଣ୍ଡ ପିନ୍ଧି ପାରିବେ। ପୂର୍ବ ଡ୍ରେସ୍‌କୋଡ୍‌ରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ଅଛି କି ନାହିଁ, ସେନେଇ ମେଡିିକାଲ୍‌ ଗବେଷଣା ନ ସରିବା ପର୍ଯ୍ୟନ୍ତ କିମ୍ବା ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି।