Categories: ବାଣିଜ୍ୟ

ବଦଳିକୁ ବିରୋଧ;ସୁଭାଷ ଗର୍ଗ ଭିଆର୍‌ଏସ୍‌ ନେବେ

ନୂଆଦିଲ୍ଲୀ,୨୬-୭: ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ସୁଭାଷ ଚନ୍ଦ୍ର ଗର୍ଗ ବିଭାଗ ବଦଳିବାର ଦିନକ ପରେ ସ୍ବେଚ୍ଛା ଅବସର ଯୋଜନା(ଭିଆର୍‌ଏସ୍‌)ରେ ଆବେଦନ କରିଛନ୍ତି। ତାଙ୍କୁ ବୁଧବାର ଅର୍ଥ ମନ୍ତ୍ରଣାଳୟରୁ ହଟାଇ ଶକ୍ତି ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ଏଥିପୂର୍ବରୁ ସେ ଅର୍ଥ ମନ୍ତ୍ରଣାଳୟର ସଚିବ ଥିଲେ। ଆସନ୍ତାବର୍ଷ ଅକ୍ଟୋବରରେ ସେ ଅବସର ନେଇଥାନ୍ତେ। ଦୀର୍ଘ ୧୯ ବର୍ଷ ପରେ ପ୍ରଥମ ଅର୍ଥ ସଚିବ ଭାବେ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ଅତନୁ ଚକ୍ରବର୍ତ୍ତୀଙ୍କୁ କେନ୍ଦ୍ର ସରକାର ଆର୍ଥିକ ବ୍ୟାପାର ବିଭାଗ ସଚିବ ଭାବେ ନିଯୁକ୍ତ କରିଛନ୍ତି। ବିଭାଗ ବଦଳିବା କାରଣରୁ ଗର୍ଗ ବେଶ ଅସନ୍ତୁଷ୍ଟ ଥିଲେ ବୋଲି ମନେ କରାଯାଉଛି। ଅର୍ଥ ମନ୍ତ୍ରଣାଳୟରେ ସେ ସର୍ବବରିଷ୍ଠ ଥିଲେ। ସେ ଆର୍ଥିକ ନୀତି ଏବଂ ଆର୍‌ବିଆଇ ସମ୍ପର୍କିତ ମାମଲା ଦାୟିତ୍ୱରେ ଥିଲେ। ବଜେଟ ପ୍ରସ୍ତୁତ ପ୍ରକ୍ରିୟାରେ ସେ ସାମିଲ ହୋଇଥିଲେ। ଅର୍ଥ ମନ୍ତ୍ରଣାଳୟରେ ତାଙ୍କୁ ହାଇପ୍ରୋଫାଇଲ ଅଧିକାରୀ ମନେ କରାଯାଉଥିଲା। ଏହା ତୁଳନାରେ ଶକ୍ତି ମନ୍ତ୍ରଣାଳୟ ଗୁରୁତ୍ୱ କମ୍‌ ବୋଲି କୁହାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ ଗର୍ଗ ଗୁରୁବାର ସକାଳେ ଅର୍ଥ ମନ୍ତ୍ରଣାଳୟରେ ପହଞ୍ଚତ୍ଥିଲେ ଓ ଦ୍ୱିପ୍ରହରରେ ଚାଲିଯାଇଥିଲେ। ତେବେ ସରକାର ତାଙ୍କ ଭିଆର୍‌ଏସ୍‌ ଆବେଦନକୁ ସ୍ବୀକାର କରାଯିବା ନେଇ ଏବେ କିଛି ସ୍ପଷ୍ଟ ହୋଇନାହିଁ। ନିୟମ ଅନୁଯାୟୀ ନୋଟିସ ଦେବାର ୩ ମାସ ଅଥବା ଆବେଦନ ଗ୍ରହଣ ପର୍ଯ୍ୟନ୍ତ ନୋଟିସ ଅବଧିରେ ନିଜର ସେବା ଦେବାକୁ ହେବ। ୧୯୮୩ ରାଜସ୍ଥାନ କ୍ୟାଡର ଆଇଏଏସ୍‌ ଅଧିକାରୀ ଗର୍ଗ ୨୦୧୭ରେ ଆର୍ଥିକ ବ୍ୟାପାର ସଚିବ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ୨୦୧୮ ଡିସେମ୍ବରରେ ତାଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତ କରାଯାଇଥିଲା।

Share