ବଣ୍ଡା ନୃତ୍ୟରେ ଦୁଲୁକିଲା ମଞ୍ଚ

ଚିକିଟି,୧୩ା୧ (ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟି ବ୍ଲକ ନୂଆପଡା ଗ୍ରାମରେ ରବିବାର ଅପରାହ୍ନରେ ବାହୁଦା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ମହୋତ୍ସବରେ ମୁଖ୍ୟଅତିଥିଭାବେ ହାଇଦ୍ରାବାଦ୍‌ ସ୍ଥିତ ଏକ ମେଡିକାଲର କାର୍ଡିଓଲୋଜି ଡା. ବଦ୍ରିନାରାୟଣ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କଲେଜ ଉନ୍ନୟନ କମିଟିର ଚେୟାରମ୍ୟାନ୍‌ ପ୍ରଫେସର ଡ ଦେବିପ୍ରସାଦ ପଟ୍ଟନାୟକ, ଆଞ୍ଚଳିକ ଶିଳ୍ପକେନ୍ଦ୍ରର ମ୍ୟାନେଜର ବ୍ରହ୍ମପୁର ଅନାମ ଚରଣ ପାତ୍ର, ଅଧ୍ୟାପକ ଡଃ.ମନୋରଞ୍ଜନ ପାଣିଗ୍ରାହୀ, ବାହାନପତି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦିପ୍ତ କୁମାର ପଟ୍ଟନାୟକ, ଚିକିଟି ବିଜେଡିର ଯୁବନେତା ସୁରେନ୍ଦ୍ର ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଏମ୍‌. ପଦ୍ମା ଯୋଗଦେଇ ମହୋତ୍ସବ କେବଳ ସାଂସ୍କୃତିକ ଭାବଧାରାର ଏକ ନୃତ୍ୟ, ଗୀତ ଏବଂ କଣ୍ଠଶିଳ୍ପୀମାନଙ୍କ ସମ୍ମିଳିତ ନୁହେଁ ବରଂ ଏହା ବାହୁଦା ନଦୀ ଅବବାହିକାର ୭୫ କିଲୋମିଟର ବ୍ୟାସାର୍ଦ୍ଧର ଶତାଧିକ ଗ୍ରାମବାସୀଙ୍କ ଜୀବନଜିବିକା ବୋଲି କହିଥିଲେ। ନୂଆପଡା, ଚାନ୍ଦପୁର, ଲାଲମେଣ୍ଟା, ଗଡଗୋବିନ୍ଦପୁର, ଗୌଡଗାଁ ସରପଞ୍ଚ ଏସ୍‌.ମମତା, ମନୋଜ କୁମାର ସାହୁ, ଜିଲା ପରିଷଦ ସଭ୍ୟା ପ୍ରମୋତି ପ୍ରଧାନ, ଚିକିଟି ବ୍ଲକ ଯୁବ ବିଜେଡି ସଭାପତି ସଚିଦାନନ୍ଦ ପଣ୍ଡା, ପୂୂର୍ବତନ ଅଧ୍ୟକ୍ଷ ଏମ୍‌.ନାଗରାଜ୍‌, ବିଜେଡି ଯୁବନେତା ବି. କୃଷ୍ଣମୂର୍ତ୍ତି, ନୂଆପଡାର ପୂର୍ବତନ ସରପଞ୍ଚ ଶ୍ୟାମାକାନ୍ତ ତ୍ରିପାଠୀ ଉପସ୍ଥିତ ଥିଲେ। ମହୋତ୍ସବର ପ୍ରଥମ ଦିନରେ ମାଲକାନଗିରି ଜିଲା ମୁଦୁଲିପଡା ଘାଟିର ବାରଡଙ୍ଗରର ବନାଞ୍ଚଳରେ ବସବାସ କରୁଥିବା ସଂସ୍କୃତି ଭାବଧାରା ଭିତରେ ଜୀବନ ନିର୍ବାହ କରି ଆସିଥିବା ବଣ୍ଡା ଅଧିବାସୀମାନଙ୍କ ବଣ୍ଡା ନୃତ୍ୟ ବାହୁଦା ମହୋତ୍ସବ ସାଂସ୍କୃତିକ ମଞ୍ଚରେ ଦେଖିବାକୁ ମିଳିଥିଲା। ଏଥିସହିତ ଅଞ୍ଚଳର ଛାତ୍ରୀଛାତ୍ରମାନଙ୍କୁ ନେଇ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ହୋଇଥିଲା। ନୂଆପଡା ଗ୍ରାମରେ ସ୍ବାଧିନତା ସଂଗ୍ରାମୀ କୃଷ୍ଣମୂର୍ତ୍ତିଙ୍କୁ ମରଣୋତ୍ତର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ା