ବଣ୍ଡାଘାଟିରେ ଜଳକଷ୍ଟ: ବର୍ଷାଦିନେ ବି ଚୁଆପାଣି ଭରସା

ଗୋବିନ୍ଦପାଲି,୨୨ା୭(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ବର୍ଷାଦିନେ ମଧ୍ୟ ଲୋକେ ଚୁଆପାଣି ଉପରେ ନିର୍ଭର କରୁଛନ୍ତି। ପାନୀୟ ଜଳ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏହାର ସୁଫଳ ବଣ୍ଡାଘାଟି ଅଞ୍ଚଳରେ ପହଞ୍ଚତ୍ପାରୁନି। ଏଠାରେ ସରକାରୀ ଯୋଜନା କେବଳ କାଗଜକଲମରେ ରହିଛି। ପାନୀୟ ଜଳ ପାଇଁ ବଣ୍ଡାଘାଟିରେ ପ୍ରତି ବର୍ଷ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଅନେକ ଜୀବନ ଅକାଳରେ ଝଡି ପଡୁଛି। ଆଦିମ ବଣ୍ଡା ଲୋକଙ୍କ ଉନ୍ନତି ପାଇଁ ୧୯୭୪ରେ ବଣ୍ଡା ଉନ୍ନୟନ ସଂସ୍ଥା ଗଠନ ହୋଇଥିଲା। ସମ୍ପୃକ୍ତ ସଂସ୍ଥା ବଣ୍ଡା ଜନଜାତିର ସେହିପରି କିଛି ଆଖିଦୃଷ୍ଟିଆ ଉନ୍ନତି କରିପାରିନାହିଁ। ବଣ୍ଡାଘାଟିରେ ପୂର୍ବରୁ ଯେପରି ଲୋକେ ପାନୀୟ ଜଳ ପାଇଁ ଚୁଆ ଓ ଝରଣା ଉପରେ ନିର୍ଭର କରିଥିଲେ ଆଜି ମଧ୍ୟ ପୂର୍ବ ଅବସ୍ଥା ଜାରି ରହିଛି। ଲୋକେ ଚୁଆ ଓ ଝରଣାରୁ ପାନୀୟ ଜଳ ସଂଗ୍ରହ କରି ଚଳୁଛନ୍ତି। ଆମେ କେବଳ ଭଗବାନଙ୍କ ଭରସାରେ ବଞ୍ଚତ୍ଛୁ। ନା ସରକାର ନା ଲୋକ ପ୍ରତିନିଧି କେହି ଆମ ଦୁଃଖ ବୁଝୁନାହାନ୍ତି। ଖବରକାଗଜରେ ଆମ ବିଷୟରେ ଖବର ପ୍ରକାଶ ପାଇଲେ ଅଧିକାରୀମାନେ ଆମ ଅଞ୍ଚଳକୁ ଆସି ବୁଲି ଯାଉଛନ୍ତି, ମାତ୍ର ଆମ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଅଞ୍ଚଳର କେତେକ ବ୍ୟକ୍ତି ପ୍ରକାଶ କରିଛନ୍ତି।