ବଣ୍ଟା ନ ହୋଇ ଶ୍ରେଣୀଗୃହରେ ପଡିରହିଛି ନାପକିନ୍‌: ପିଲାଙ୍କୁ ମିଳିନି ବ୍ୟାଗ, ଜୋତା,ୟୁନିଫର୍ମ

ଚନ୍ଦାହାଣ୍ଡି, ୨।୮(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ନାପକିନ ବଣ୍ଟନର ବ୍ୟବସ୍ଥା କରାଯାଇଛି । ତେବେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଛି । ଚଳିତ ଶିକ୍ଷାବର୍ଷର ଦୁଇ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ଶ୍ରେଣୀଗୃହମାନଙ୍କରେ ନାପକିନ ବଣ୍ଟନ ନହୋଇ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଛି ।
ରାଜ୍ୟସରକାର ଖୁସି ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ ଲେଖାଏଁ ନାପକିନ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି । ଛାତ୍ରୀଙ୍କୁ ସୁବିଧାରେ ନାପକିନ ବଣ୍ଟନ ଓ ଏହାର ବ୍ୟବହାର ସମ୍ପର୍କରେ ପୂର୍ବରୁ ଶିକ୍ଷୟିତ୍ରୀ, ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନଓ୍ବାଡିମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ବ୍ଲକର ବିଦ୍ୟାଳୟ ଏବଂ କଲେଜ ଛାତ୍ରୀଙ୍କ ପାଇଁ ଲକ୍ଷାଧିକ ନାପକିନ ପ୍ୟାଟେକ ଆସିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ସିଆରସିସିମାନଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି । ମଧ୍ୟାହ୍ନଭୋଜନ ଚାଉଳ ବୁହାଗାଡିରେ ନାପକିନ ପ୍ୟାକେଟଗୁଡିକୁ କିଛି ବିଦ୍ୟାଳୟକୁ ପହଞ୍ଚାଯାଇଛି। ଦୁର୍ଗମ ଅଞ୍ଚଳ ବିଦ୍ୟାଳୟଗୁଡିକୁ ଏପର୍ଯ୍ୟନ୍ତ ନାପକିନ ପହଞ୍ଚି ପାରି ନ ଥିବା ଜଣାପଡିଛି। ନାପକିନ ବଣ୍ଟନ ପାଇଁ ଶିକ୍ଷା ବିଭାଗ ଉପରିସ୍ଥ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶ ପହଞ୍ଚି ନଥିବାରୁ ଏହାକୁ ବଣ୍ଟନ କରାଯାଇପାରୁନାହିଁ । ମୁଷା ଏବଂ ଉଇ ଯୋଗୁ ବନ୍ଦ କୋଠରିରେ ରଖାଯାଇଥିବା ନାପକିନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଗ୍ରୀଷ୍ମଅବକାଶ ପରେ ସ୍କୁଲ ଖୋଲି ଦୁଇମାସ ବିତିଯାଇଥିଲେ ମଧ୍ୟ ମାଗଣା ବ୍ୟାଗ, ୟୁନିଫର୍ମ ଓ ଯୋତା ମିଳିପାରିନାହିଁ । ଆଗକୁ ସ୍ବାଧୀନତା ଦିବସ ଆସିବ। ନୂଆ ପୋଷାକ , ଯୋତା ପିନ୍ଧି ସ୍ବାଧୀନତା ଦିବସ ପାଳନ କରିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଗ୍ରହ ରହିଛି। ବ୍ଲକର ୧୨, ୬୮୯ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ମିଳିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଅଗଷ୍ଟ୧୫ ସୁଦ୍ଧା ୟୁନିଫର୍ମ ଦିଆଯିବ ବୋଲି କହିଛନ୍ତି ।