ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ: ୭ ହାଇଓ୍ବା ଜବତ, ୭ ଗିରଫ

ବଡବିଲ,୫।୬(ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣେଇରୁ ବଡବିଲକୁ ବାଲି ଚୋରା ଚାଲାଣ ହେଉଥିବାବେଳେ କେନ୍ଦୁଝର ଜିଲା ବଡବିଲ ପୋଲିସ ଗୁରୁବାର ୭ଟି ବାଲି ବୋଝେଇ ହାଇଓ୍ବା ଟ୍ରକ ଜବତ କରିଛି। ଏହି ଘଟଣାରେ ବାଲିଘାଟର ମାଲିକ, ମ୍ୟାନେଜର ଓ ୭ ଜଣ ଟ୍ରକ ଡ୍ରାଇଭରଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲିଘାଟ ମାଲିକ ଲହୁଣୀପଡା ଥାନା ରାଜାମୁଣ୍ଡା ଅଞ୍ଚଳର ମାଧବ ଚନ୍ଦ୍ର ମାଝୀ, ମ୍ୟାନେଜର ବଣେଇଥାନା ନରେନ୍ଦ୍ର ଗ୍ରାମର ଧର୍ମପଦ ସାହୁ ଏବଂ ୭ ଜଣ ଡ୍ରାଇଭର ହେଲେ ଆନନ୍ଦ ଦାସ, ଖୁଦ ଚାମ୍ପିଆ, ବିଶାଲ ବବଙ୍ଗା, ଲାଲଟୁ ମହାନ୍ତି, ମହାବୀର ଦାସ ଓରଫ୍‌ ବାବୁ, ଅଜିତ ଟୁଟି ଓ ଭାଗିରଥି ଟୁଟି ଓରଫ୍‌ ହିରୋ। ଏ ନେଇ ବଡବିଲ ଥାନାରେ କେସ ନଂ. ୭୯/୨୦ରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି।