ବଢ଼ୁନି ଏସ୍କାଲେଶନ ଫି’: ଅଡୁଆରେ ଠିକା ସଂସ୍ଥା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୨୦୧୩-୧୪ରେ ସଫେଇ କର୍ମଚାରୀଙ୍କ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ କରିଥିଲା। ଇତିମଧ୍ୟରେ ୬ବର୍ଷ ବିତିଥିଲେ ମଧ୍ୟ ତାହା ଏବେ ବି ବଳବତ୍ତର ରହିଛି। ବିଏମ୍‌ସି ଏସ୍କାଲେଶନ ଫି’ ବୃଦ୍ଧି କରୁ ନ ଥିବାରୁ ଠିକା ସଂସ୍ଥା ସଫେଇ କର୍ମଚାରୀଙ୍କୁ ବର୍ଦ୍ଧିତ ମଜୁରି ଦେଇପାରୁ ନାହାନ୍ତି। ଅନ୍ୟପଟେ ଏସ୍କାଲେଶନ ଫି’ ନ ବଢ଼ିଲେ ମଧ୍ୟ ଘରୋଇ ସଂସ୍ଥା ସଫେଇ କର୍ମଚାରୀଙ୍କୁ ଦୈନିକ ମଜୁରି, ଇପିଏଫ, ଇଏସ୍‌ଆଇ ବାବଦରେ ମୋଟ ୨୭୦ ଟଙ୍କା ପ୍ରଦାନ କରୁଛନ୍ତି। ଏଥିଯୋଗୁ ସଂସ୍ଥାଗୁଡିକୁ ଅଧିକ ଆର୍ଥିକ ବୋଝ ବୋହିବାକୁ ପଡୁଛି। ଏହାସତ୍ତ୍ୱେ ମଧ୍ୟ ସଫେଇ କର୍ମଚାରୀମାନେ ମଜୁରି ବୃଦ୍ଧି ଦାବିରେ ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ବିଏମ୍‌ସି କିନ୍ତୁ ଏହା ଶୁଣୁ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ଅଡୁଆରେ ପଡୁଛନ୍ତି। ଚୁକ୍ତି ଅନୁଯାୟୀ ବିଏମ୍‌ସି ପକ୍ଷରୁ ଘରୋଇ ସଂସ୍ଥାଗୁଡିକୁ ଅଳିଆ ଟନ ପିଛା ୨୫ଶହ ଟଙ୍କା ଦିଆଯାଉଛି। ସେଥିରୁ ୧୨୫୦ଟଙ୍କା ଶ୍ରମିକ ମଜୁରି ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ। ଏହାକୁ ହିସାବକୁ ନେଲେ ସଫେଇ କର୍ମଚାରୀଙ୍କୁ ଦୈନକ ମଜୁରି ବାବଦରେ ୧୫୦ଟଙ୍କା ଦିଆଯିବ କଥା। ମଙ୍ଗଳବାର ନୂଆପଲ୍ଲୀର ୱାର୍ଡ ନଂ. ୩୭, ୩୮, ୩୯ର ପ୍ରାୟ ୮୦ଜଣ ସଫେଇ କର୍ମଚାରୀ ମଜୁରି ବୃଦ୍ଧି ଦାବିରେ ସ୍ଥାନୀୟ ଦେବରାୟ କଲେଜ ସମ୍ମୁଖରେ ଧାରଣାରେ ବସିଥିଲେ। ଏନେଇ ଧରିତ୍ରୀରେ ଏକ ଖବର ପ୍ରକାଶ ପାଇଥିଲା। ଏଥିରେ ଠିକାସଂସ୍ଥା ଜାଗୃତି ଏବଂ ରାମ୍‌କୀଠାରୁ ଠିକ୍‌ ଭାବେ ମଜୁରୀ ମିଳୁ ନ ଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଧାରଣା ଦେଇଥିବା ଉଲ୍ଲେଖ ହୋଇଥିଲା। ତେବେ ଉପରୋକ୍ତ ୩ଟିି ଓ୍ବାର୍ଡର ସଫେଇ ଦାୟିତ୍ୱ ରାମ୍‌କୀ ଠିକାସଂସ୍ଥା ନେଇଥିବାବେଳେ ଜାଗୃତି ନାମ ଭୂଲ୍‌ବଶଃତ ଉଲ୍ଲେଖ ରହିଥିଲା। ତେବେ ଉକ୍ତ ଓ୍ବାର୍ଡର ସଫେଇ କାର୍ଯ୍ୟ କିମ୍ବା କର୍ମଚାରୀଙ୍କ ମଜୁୁରି ଠକେଇରେ ଜାଗୃତି ଠିକା ସଂସ୍ଥାର କାୈଣସି ଭୂମିକା ନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁୁ କୁହାଯାଇଛି।