ନିଶ୍ଚିନ୍ତକୋଇଲିରେ ବଢ଼ୁଛି ପ୍ରବାସୀ ଓଡ଼ିଆ ଆଗନ୍ତୁକଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ, ପଞ୍ଜୀକରଣ କଲେଣି ୮ହଜାରରୁ ଊର୍ଦ୍ଧ୍ୱ

ନିଶ୍ଚିନ୍ତକୋଇଲି,୨।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଲୋକେ ବାହାର ରାଜ୍ୟରେ ଫସି ରହିଛନ୍ତି। ଲକ୍‌ ଡାଉନ୍‌ ପରେ ସେମାନେ ଘରକୁ ଫେରିବେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୮ ହଜାର ୧୦୬ ଜଣ ପଞ୍ଜୀକରଣ କରିଛନ୍ତି। ଘରକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଏଥିପାଇଁ ବ୍ଲକ ପ୍ରଶାସନ ୯୫ଟି କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲିଛନ୍ତି। ବିଭିନ୍ନ ବିଦ୍ୟାଳୟରେ ୯୪ଟି କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଥିବା ବେଳେ ବ୍ଲକ ପରିସରରେ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଛି। ତେବେ ବ୍ଲକ ପ୍ରଶାସନ ୪ହଜାର ପ୍ରବାସୀ ଓଡିଆଙ୍କ ପାଇଁ ୪ ହଜାର ବେଡ୍‌ ପକାଇଥିବା ବେଳେ ଏବେ କିନ୍ତୁ ଏହି ସଂଖ୍ୟା ବଢି ୮ ହଜାରରେ ପହଞ୍ଚିିଲାଣି। ଯଦି ଏକ ସମୟରେ ପ୍ରବାସୀ ଓଡିଆମାନେ ବ୍ଲକକୁ ଆସନ୍ତି ତେବେ ୪ ହଜାର ପ୍ରବାସୀଙ୍କପାଇଁ ହୋଇଥିବା ୯୫ଟି କ୍ୱାରାଣ୍ଟାଇନ କେନ୍ଦ୍ରରେ କିଭଳି ୮ ହଜାର ରୁ ଉର୍ଦ୍ଧ ଲୋକ ରହିବେ ସେନେଇ ଚିନ୍ତାରେ ବ୍ଲକ ପ୍ରଶାସନ। ଏମିତିବି କିଛି କେନ୍ଦ୍ର ଅଦ୍ୟାବଧି ପ୍ରସ୍ତୁତି ହୋଇନାହିଁ। ତେବେ ଦୁଇ ଦିନ ଭିତରେ କିଭଳି ସମସ୍ତ କେନ୍ଦ୍ର ଖୋଲାଯାଇ ପ୍ରବାସୀ ଓଡିଆଙ୍କ ପାଇଁ ରହିବା ଉପଯୋଗି କରାଯିବ ସେନେଇ ପ୍ରଶାସନ ପାଇଁ ଏକ ଶକ୍ତ ଚ୍ୟାଲେଞ୍ଜ ହୋଇଛି।

ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତରେ ୨୩୮ ଗ୍ରାମର ୮ ହଜାର ୧୦୬ ଜଣ ପଞ୍ଜୀକରଣ କରିଛନ୍ତି। ତେବେ ବ୍ୟକ୍ତିଗତ ଭାବେ ୧୭ଶହ ୭୧ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ପଂଚାୟତରେ ୩ହଜାର ୫୬୩ଜଣ ପଞ୍ଜୀକରଣ କରିଛନ୍ତି। ମୋଟ ୫ହଜାର ୩୮୩ଜଣ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ସାଥିରେ ସେମାନଙ୍କ ପରିବାର ସଂଖ୍ୟା ୨ହଜାର ୭୨୩ ମୋଟ ପଞ୍ଜୀକରଣ ବ୍ୟକ୍ତି ଓ ତାଙ୍କ ପରିବାର ମୋଟ ୮ ହଜାର ୧୦୬ ଜଣ ଓଡିଶାକୁ ଫେରିବା ପାଇଁ ଶନିବାର ସୁଧା ପଞ୍ଜୀକରଣ କରିଛନ୍ତି। ଏହି ବ୍ଲକରେ ବନ୍ଧକାଟିଆ ପଞ୍ଚାୟତରେ ସର୍ବାଧିକ ୨୬୪ ଜଣ ପଞ୍ଜୀକରଣ କରିଥିବା ବେଳେ ଶୁକରପଡାରେ ୨୫୬ଜଣ ଓ ଝାଡେଶ୍ୱରପୁରରେ ୨୨୩ଜଣ ପଞ୍ଜୀକରଣ କରିଛନ୍ତି। ସର୍ବନିମ୍ନ ଏହି ବ୍ଲକର କୋଲଣପୁର ପଂଚାୟତରେ ମାତ୍ର ୨୯ଜଣ ପଞ୍ଜୀକରଣ କରିଛନ୍ତି। ତେବେ ସମସ୍ତ ଲୋକ ଘର ବାହୁଡା ହୁଅନ୍ତି ତେବେ କିପରି ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା ଓ କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯିବ ସେନେଇ ଜିଲା ପ୍ରଶାସନ ସହ ଆଲୋଚନା ଜାରି ରହିଛି। ଏମିତିବି ଜିଲାପାଳ ଓ ଜିଲା ପର୍ଯ୍ୟବେକ୍ଷକ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଦର୍ଶନ କରିସାରିଛନ୍ତି। ଏସମ୍ପର୍କରେ ବିଡିଓ କର୍ଣ୍ଣଦେବ ସମାଦ୍ଧାର କୁହନ୍ତି ଯଦି ଅଧିକ ପ୍ରବାସୀ ଓଡିଆ ଆସନ୍ତି ତେବେ ସେମାନେ ପର୍ଯ୍ୟାୟ କ୍ରମେ ଆସିବେ।